ମୁମ୍ବାଇ: କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ପ୍ରଶଂସକ ଏବଂ ପରିବାର ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ରାଜୁ ଶ୍ରୀବାସ୍ତବ ୧୦ ଦିନ ହେଲା ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏଯାଏଁ ତାଙ୍କର ଚେତା ଫେରିନାହିଁ । ଏହାରି ଭିତରେ ରାଜୁ ଶ୍ରୀବାସ୍ତବଙ୍କ ଏକ ପୁରୁଣା ଭିଡିଓ ଭାଇରାଲ (Raju Srivastav Video) ହେବାରେ ଲାଗିଛି, ଯେଉଁଥିରେ ହାସ୍ୟ ଅଭିନେତା ଯମରାଜ ଏବଂ ମୃତ୍ୟୁ ବିଷୟରେ କହୁଛନ୍ତି । ଏହି ଭିଡିଓ ଦେଖିବା ପରେ ଏବେ ତାଙ୍କ ଫ୍ୟାନ୍ସମାନେ ଭାବପ୍ରବଣ ହୋଇଯାଇଛନ୍ତି ।
ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଲଗାତାର ସ୍ୱାସ୍ଥ୍ୟ ଅପଡେଟ ଆସୁଥିବା ବେଳେ ଏହାରି ମଧ୍ୟରେ ତାଙ୍କର ପ୍ରାୟ ୨୭ ଦିନ ତଳର ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ମୃତ୍ୟୁ ବିଷୟରେ କହୁଛନ୍ତି । ଏଠାରେ ଆପଣଙ୍କୁ କହି ରଖୁଛୁ, ଏହା ଏକ କମେଡି ଭିଡିଓ, ଯେଉଁଥିରେ ରାଜୁ ତାଙ୍କର ଲୋକପ୍ରିୟ ଭୂମିକା 'ଗଜୋଧର ଭାୟା' (Raju Srivastav Gajodhar Bhaiya) ସ୍ୱରରେ କଥା ହେଉଛନ୍ତି । ଏହି ଭିଡିଓରେ ରାଜୁ 'ଗଜୋଧର ଭାୟା' ଅନ୍ଦାଜରେ କହୁଛନ୍ତି ଯେ, 'ନମସ୍କାର, କିଛି ନାହିଁ କେବଳ ବସିଛି । ଜୀବନରେ ଏମିତି କାମ କର, ଯଦି ଯମରାଜ ବି ଆସିବେ ଆପଣଙ୍କୁ ନେବା ପାଇଁ ତାହେଲେ ସେ ବି କହିବେ ଭାଇସାହାବ ମଇଁଷି ଉପରେ ବସନ୍ତୁ । ନା ନା, ଆପଣ ପାଦରେ ଚାଲୁଛନ୍ତି..., ଚାଲିବା ଆପଣଙ୍କୁ ଶୋଭା ପାଉ ନାହିଁ । ଆପଣ ଉତ୍ତମ ଚରିତ୍ରର ବ୍ୟକ୍ତି । ମୁଁ ପାଦରେ ଚାଲିବି, ତୁମେ ମଇଁଷି ପିଠିରେ ଯାଅ ।' ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।