ହାଇଦ୍ରାବାଦ:ଥାଲାଇବା ରଜନୀକାନ୍ତ ଆଜିକାଲି ନିଜ ଆଗାମୀ ଫିଲ୍ମ 'ଜେଲର'କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଗଷ୍ଟ 10ରେ ଏହି ଫିଲ୍ମ ରିଲିଜ ହେବ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ହିମାଳୟ ଯାଇଛନ୍ତି । ସୂଚନା ଥାଉ କି, ଫିଲ୍ମ ରିଲିଜ ପୂର୍ବରୁ ସର୍ବଦା ଅଭିନେତା ହିମାଳୟ ଯାଆନ୍ତି । ତେବେ ଏବେ ସେ ଚାରି ବର୍ଷର ବ୍ୟବଧାନ ପରେ ପୁଣି ହିମାଳୟ ଗସ୍ତ କରିଛନ୍ତି ।
ବୁଧବାର ଏହି ଅଭିନେତା ହିମାଳୟ ଅଭିମୁଖେ ଯାତ୍ରା କରିଛନ୍ତି । ହିମାଳୟ ଅଭିମୁଖେ ଯିବା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିବା ପରେ ରଜନୀକାନ୍ତ କହିଛନ୍ତି, "କୋଭିଡ କଟକଣା ପାଇଁ ମୁଁ ସେଠାକୁ ଯାଇପାରୁ ନଥିଲି । ହେଲେ ଏବେ ମୁଁ ପୁଣି ଏହି ଯାତ୍ରା ପୁଣି ଆରମ୍ଭ କରୁଛି। ମୁଁ ଚାରି ବର୍ଷର ଅନ୍ତରାଳ ପରେ ହିମାଳୟକୁ ଫେରୁଛି । ଆସନ୍ତାକାଲି ଫିଲ୍ମ ଜେଲର ରିଲିଜ ହେବ । ଏହାକୁ ଦେଖନ୍ତୁ ଏବଂ କେମିତି ଲାଗିଲା ମୋତେ ଏହା ଜଣାନ୍ତୁ ।" ସୂଚନା ଥାଉ କି, ଚେନ୍ନାଇ ବିମାନବନ୍ଦରରୁ ବେଙ୍ଗାଲୁରୁ ବିମାନବନ୍ଦର ଏବଂ ପରେ ହିମାଳୟ ଅଭିମୁଖେ ଯାତ୍ରା କରିବେ। ରଜନୀକାନ୍ତ ପୂର୍ବରୁ ମଧ୍ୟ ଅନେକ ଥର ହିମାଳୟ ଯାଇଛନ୍ତି । କରୋନା ଏବଂ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ହିମାଳୟକୁ ଯାତ୍ରା କରିପାରିନଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଏବଂ ତାଙ୍କ କିଛି ବନ୍ଧୁ ହିମାଳୟ ଅଞ୍ଚଳରେ ଏକ ମେଡିଟେସନ ସେଣ୍ଟର (ଧ୍ୟାନ କେନ୍ଦ୍ର) ପ୍ରତିଷ୍ଠା କରିଛନ୍ତି । ମାନସିକ ଶାନ୍ତି ପାଇଁ ସେ ସେଠାକୁ ଯାଇଥାନ୍ତି ।