ହାଇଦ୍ରାବାଦ: 52 ବର୍ଷ ବୟସରେ ପାଦ ଥାପିଲେ ବଲିଉଡ ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ । ପୋଷାକ ସିଲେଇ କରି ଟଙ୍କା ରୋଜଗାର କରୁଥିବା ରାଜପାଲ ଯାଦବ ଆଜି କମେଡି କିଙ୍ଗ ହୋଇପାରିଛନ୍ତି । ସେ ଦକ୍ଷ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କୁ ହସାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ପତ୍ନୀ ରାଧା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପତ୍ନୀ ରାଧା ନିଜ ଇନଷ୍ଟାଗ୍ରାମରେ ରାଜପାଲ ଯାଦବଙ୍କ ଏକ ଫଟୋ ସେୟାର କରି ସ୍ବାମୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ଫଟୋ ସହ କ୍ୟାପସନରେ ଲେଖିଛନ୍ତି, ତୁମ ଜନ୍ମଦିନରେ ଦୁନିଆର ସମସ୍ତ ସୁଖ କାମନା କରୁଛି । ଏବଂ ତୁମେ ଯାହା କଳ୍ପନା, ତାଠାରୁ ଅଧିକ ସଫଳତା ହାସଲ କର ବୋଲି ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ‘‘ହେପି ବର୍ଥ ଡେ ହବି’’ ।
ରାଜପାଲ ଯାଦବ 16 ମାର୍ଚ୍ଚ 1971ରେ ୟୁପିର ଶାହାଜାହାନପୁରର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ରାଜପାଲ ଯାଦବ ଗରିବ ସାଧାରଣ ପରିବାରରୁ ଆସିଥିବା ବେଳେ ନିଜ କଠିନ ପରିଶ୍ରମରେ ଆଜି ଘରେ ଘରେ ବେଶ ପରିଚିତ ହେଇପାରିଛନ୍ତି । 1999ରୁ ଦିଲ କ୍ୟା କରେ ଫିଲ୍ମରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ ରାଜପାଲ । ପରେ ପରେ ପ୍ୟାର ତୁନେ କ୍ୟା କିୟା, ଜିନ୍ଦଗୀ କା ସଫର ଏବଂ ତୁମକୋ ଭୁଲ ନା ପାଏଙ୍ଗେ ଫିଲ୍ମରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତି ହାସ୍ୟ ଅଭିନେତା ଭାବେ ଏକ ସ୍ବତନ୍ତ୍ର ପରିଚୟ ପାଇଥିଲେ ।