ଅମୃତସର: ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର । ଲୋକପ୍ରିୟ ପଞ୍ଜାବୀ ଲୋକ ଗାୟକ ସୁରିନ୍ଦର ଶିନ୍ଦାଙ୍କର ଦେହାନ୍ତ ହୋଇଛି । ଏହି କଣ୍ଠଶିଳ୍ପୀ 64 ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଶିନ୍ଦାଙ୍କ ବିୟୋଗରେ ସାରା ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ନିକଟରେ ସୁରିନ୍ଦର ଏକ ଖାଦ୍ୟନଳୀର ଅପରେସନ୍ କରିଥିଲେ । ଅପରେସନ୍ ପରେ କଣ୍ଠଶିଳ୍ପୀଙ୍କ ଶରୀରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲା । ଫଳରେ ସୁରିନ୍ଦର ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୁରିନ୍ଦରଙ୍କୁ 20 ଦିନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରିନ୍ଦରଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ସହରର DMCH ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣିବା ପରେ ଅନ୍ୟ ସେଲିବ୍ରିଟି ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ସୁରିନ୍ଦରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସୁରିନ୍ଦରଙ୍କ ପ୍ରକୃତ ନାମ ଥିଲା ସୁରିନ୍ଦର ପାଲ ଧାମି । ସୁରିନ୍ଦର ଶିନ୍ଦା ପଞ୍ଜାବର ଲୁଧିଆନାର ଆୟାଲି ଗାଁରେ ଜନ୍ମଗ୍ରହଣ କରିଥିଲେ । ଶିନ୍ଦାଙ୍କ ପିତାମାତା (ବଚ୍ଚନ ରାମ ଏବଂ ବିଦ୍ୟାବତୀ) ସଙ୍ଗୀତ ସହ ଜଡ଼ିତ ଥିଲେ । ଏଭଳି ପରିସ୍ଥିତିରେ, ୪ ଚାରି ବର୍ଷ ବୟସରେ ଶିନ୍ଦା ମଧ୍ୟ ସଙ୍ଗୀତ ପ୍ରତି ରୁଚି ଦେଖାଇଥିଲେ ଏବଂ ସେବେଠାରୁ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଶିନ୍ଦା ଉସ୍ତାଦ୍ ଜସୱନ୍ତ ଭାମ୍ରାଙ୍କଠାରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଏକ ସରକାରୀ ଚାକିରି ମଧ୍ୟ ପାଇଥିଲେ ।