ହାଇଦ୍ରାବାଦ: ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ । ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅତି ଉତ୍ସାହିତ ହୋଇ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ବିବାଦୀୟ ବୟାନ ପାଇଁ ଅଭିନେତା କ୍ଷମା ମଧ୍ୟ ମାଗିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଉଲ୍ଲେଖନୀୟ ଯେ, ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା କଥା ସେ କହିବାରୁ ଏହି ବିବାଦ ସୃଷ୍ଟି ହୋଇଥିଲା ।
ସିପିଆଇ (ଏମ୍) ନେତା ମହମ୍ମଦ ସଲିମ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ସେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରେଶ ରାୱଲଙ୍କ ଭାଷଣର ଭିଡିଓ ଦେଖିଛନ୍ତି । ସେ ପରେଶ ରାୱଲଙ୍କୁ ଏକ ସର୍ବସାଧାରଣ ପ୍ଲାଟଫର୍ମରେ ତାଙ୍କ ଭାଷଣ ମାଧ୍ୟମରେ ଦଙ୍ଗା ବିସ୍ତାର କରୁଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ ବଙ୍ଗାଳୀ ତଥା ଦେଶର ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତାଙ୍କ ବିବୃତ୍ତି ହେତୁ ପ୍ରବାସୀ ବଙ୍ଗୀୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ସେ ପରେଶ ରାୱଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।