ମୁମ୍ବାଇ:ବକ୍ସ ଅଫିସରେ ଧମାଲ କରୁଛି ସୁପରଷ୍ଟାର ଶାହରୁଖ ଖାନଙ୍କ ପଠାନ । ରିଲିଜ୍ ପରେ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ଫିଲ୍ମ । ଗତ ବୁଧବାର ଦିନ ଶାହରୁଖ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମ ରିଲିଜ ହୋଇଥିବା ବେଳେ ଚାରି ଦିନ ଭିତରେ ଏହା ବିଶ୍ବ ବଜାରରେ ୪୦୦ କୋଟିରୁ ଅଧିକ ଆୟ କରିଛି । ୪ ବର୍ଷର ବ୍ୟବଧାନ ପରେ କିଙ୍ଗ ଖାନଙ୍କ ବଡ ପରଦାରେ ଏଣ୍ଟ୍ରିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ୟସ୍ରାଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସ୍ପାଏ ଥ୍ରୀଲର ମୁଭି ବକ୍ସ ଅଫିସରେ ୨୧ଟି ରେକର୍ଡ ଭାଙ୍ଗିଛି ।
ୟସ୍ରାଜ ପ୍ରଡକ୍ସନ ଅନୁସାରେ, ଶାହରୁଖଙ୍କ ଫିଲ୍ମ ପଠାନ ରିଲିଜର ପ୍ରଥମ ଦିନରେ ଘରୋଇ ବଜାରରେ ୫୩.୨୫ କୋଟି ଆୟ କରିଥିଲା । ଏହାମଧ୍ୟରେ ୨ କୋଟି ଅନ୍ୟ ଭାଷାଭାଷୀରୁ ଥିଲା । ବିଶ୍ବ ବାଜରରେ ପ୍ରଥମ ଦିନର ଆୟ ଥିଲା ୧୦୦ କୋଟି । ଚତୁର୍ଥ ଦିନରେ ଏହା ବିଶ୍ବ ବଜାରରେ ପୁଣିଥରେ ୧୦୦ କୋଟିରୁ ଅଧିକ କଲେକ୍ସନ କରିଛି । ଏହାକୁ ମିଶାଇ ଚାରି ଦିନରେ ପଠାନ ଆୟ ୪୨୯ କୋଟିରେ ପହଞ୍ଚିଛି । ବୁଧବାର ପଠାନ ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହୋଇଥିଲା । ଏହି ଫିଲ୍ମ କେଜିଏଫ-୨, ବାହୁବଳୀ-୨ ଭଳି ଦକ୍ଷିଣ ଭାରତର ବ୍ଲକବାଷ୍ଟର ଫିଲ୍ମଗୁଡିକୁ ପଛରେ ପକାଇଛି ।