ମୁମ୍ବାଇ:ବହୁ ପ୍ରତୀକ୍ଷିତ ଫିଲ୍ମ 'ମେଁ ଅଟଲ୍ ହୁଁ' ଆସନ୍ତାକାଲି (ଶୁକ୍ରବାର) ରିଲିଜ ହେବାକୁ ଯାଉଛି । ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀ ଭାବରେ ନଜର ଆସିବେ । ଏହି ଫିଲ୍ମରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ତେବେ ଏହାରି ଭିତରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ତାଙ୍କ ସହ ପତ୍ନୀ ମ୍ରିଦୁଲା ତ୍ରିପାଠୀ, ଚଳଚ୍ଚିତ୍ର ନିର୍ମାତା ବିନୋଦ ଭାନୁଶାଳୀ ଏବଂ ନିର୍ଦ୍ଦେଶକ ରବି ଯାଦବ ମଧ୍ୟ ଥିଲେ ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବାସଭବନକୁ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଏଥିସହ ଫିଲ୍ମ 'ମେଁ ଅଟଲ୍ ହୁଁ' ବିଷୟରେ କେନ୍ଦ୍ରମନ୍ତ୍ରୀ ଅଭିନେତାଙ୍କ ସହ ଆଲୋଚନା କରିଥିଲେ । ବାୟୋପିକ୍ 'ମେଁ ଅଟଲ୍ ହୁଁ'ରେ ପଙ୍କଜ ତ୍ରିପାଠୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।
ଫିଲ୍ମରେ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବା ନେଇ ପଙ୍କଜ ତ୍ରିପାଠୀ ନ୍ୟୁଜ ଏଜେନ୍ସିକୁ କହିଥିଲେ ଯେ, ଫିଲ୍ମ ଅପେକ୍ଷା ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବାର ଯାତ୍ରା ମୋ ହୃଦୟର ନିକଟତର । ତାଙ୍କ ବ୍ୟକ୍ତିତ୍ୱ ପ୍ରକୃତରେ ମହାନ ଏବଂ ତାଙ୍କର ପ୍ରେରଣାଦାୟକ କାହାଣୀକୁ ଦୁନିଆ ସାମ୍ନାକୁ ଆଣିଥିବାରୁ ଗୌରବ ଅନୁଭବ କରୁଛି । ଆଶା କରୁଛି ଯେ, ଅଟଳ ବିହାରୀଙ୍କ ବାୟୋପିକକୁ ବଡ଼ ପରଦାରେ ଆଣିବା ପାଇଁ ଆମର ପ୍ରୟାସକୁ ଦର୍ଶକମାନେ ପ୍ରଶଂସା କରିବେ ।
ଏହା ମଧ୍ୟ ପଢନ୍ତୁ - 'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ
'ମେଁ ଅଟଲ୍ ହୁଁ'ର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ । ଫିଲ୍ମକୁ ଋଷି ବିରମାନୀ ଓ ରବି ଯାଦବ ଲେଖିଛନ୍ତି । ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ପ୍ରସ୍ତୁତ ଅଛି । ଯେଉଁଥିରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଦିନରୁ ଆରମ୍ଭ କରି ଯୁବାବସ୍ଥା, ରାଜନୈତିକ କ୍ୟାରିୟର ତଥା ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଅବଦାନ ବିଷୟରେ ଦର୍ଶାଯାଇଛି । ଏହି ଫିଲ୍ମରେ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ଯାହା ହୁଏତ ଦେଶର ଅଧିକାଂଶଙ୍କୁ ଜଣାନଥିବ ।