ହାଇଦ୍ରାବାଦ: ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ହୃଦୟରେ ରାଜ୍ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନରେ ଘର କରିନେଇଥିଲା । ଏବେ ବି ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଭିତରେ କ୍ରେଜ ରହିଛି। ଅଭିନୟ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର ଯାଦୁ ଦେଖାଇଛନ୍ତି । କମେଡିଠାରୁ ଆକ୍ସନ ସବୁ ଫିଲ୍ମରେ ତାଙ୍କର ଅଭିନୟର ଯାଦୁ ବେଶ ଆକର୍ଷଣୀୟ ରହିଛି । ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବଲିଉଡର ଛୋଟେ ମିଆଁଙ୍କ ଆଜି ଜନ୍ମ ଦିନ (Govinda Birthday) । ଆଜି ଗୋବିନ୍ଦା 59 ବର୍ଷରେ ପାଦ ଦେଇଛନ୍ତି । ଗୋବିନ୍ଦା ଫିଲ୍ମରୁ ଦୂରେଇଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକାଧିକ ଅଧିକ ସୁପରହିଟ୍ ଫିଲ୍ମ ଦେଇଛନ୍ତି ଗୋବିନ୍ଦା । ପରଫେକ୍ଟ କମିକ୍ ଟାଇମିଂ, କମେଡି ଏବଂ ଆକ୍ସନ୍ ପାଇଁ ସେ ବେଶ୍ ଜଣାଶୁଣା । ସୋସିଆଲ ମିଡିଆରେ ଅଭିନେତାଙ୍କର ଅନେକ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ଝଲକ ପାଇବା ପାଇଁ ପାଗଳ ହୋଇଯାଆନ୍ତି । ଏଭଳି ଖୁସି ଭିତରେ, ଆପଣ ଜାଣନ୍ତି କି ସଂଘର୍ଷ ସମୟରେ ଗୋବିନ୍ଦାଙ୍କ ପାଖରେ ରହିବାକୁ ଘର ନଥିଲା। ପରିବାରର ଅବସ୍ଥା ବିଗିଡିବା ସହ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରିବାର ଚଳାଇବା ପାଇଁ ଆଉ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶେଷରେ ଗୋବିନ୍ଦାଙ୍କ ମାଆ କାମ କରିଥିଲେ । ପାରିବାରିକ ସମସ୍ୟା ଭିତରେ କମର୍ସରେ ଗ୍ରାଜୁଏସନ ଶେଷ କରିଥିଲେ ଗୋବିନ୍ଦା । ହେଲେ ତାଙ୍କୁ କେଉଠି ଚାକିରି ମିଳିନଥିଲା । ଶେଷରେ ସେ ତାଙ୍କ ମାମୁଁଙ୍କ ପାଇଁ ମୁମ୍ବାଇରେ ରହି ଅଡିସନ୍ ଦେଉଥିଲେ । ଥରେ ଯେତେବେଳେ ସେ ଏକ ପାଣି ଗୁମୁଟି ଉପରେ ଠିଆ ହୋଇଥିଲେ, ସେତେବେଳେ ବି.ଆର ଚୋପ୍ରା କ୍ୟାମ୍ପର ଜେନେରାଲ ମ୍ୟାନେଜରଙ୍କ ନଜର ତାଙ୍କ ଉପରେ ପଡିଲା ଏବଂ ସେ ଅଭିନେତାଙ୍କୁ ଅଫିସ୍ ଭିତରକୁ ନେଇଗଲେ, ତାଙ୍କୁ ସେଠାରେ ଅଭିନୟ କରିବାକୁ କହିଲେ ଏବଂ ଗୋଟିଏ ଟେକ୍ରେ ହିଁ ହଁ କହିଦେଲେ ।