ହାଇଦ୍ରାବାଦ: ବଲିଉଡ୍ର ଏଭରଗ୍ରୀନ ଯୋଡି କୁହାଯାଉଥିବା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠୁ କମ୍ ନୁହେଁ। ଉଭୟ ନିଜ ସଂପର୍କରେ ଅନେକ ଉତ୍ଥାନ ପତନର ସାମ୍ନା କରିଛନ୍ତି । ଏହା ସତ୍ତ୍ବେ ବି ଦୁହେଁ ଦୁହିଁଙ୍କର ହାତ କେବେ ଛାଡିନାହାନ୍ତି ବରଂ ପରସ୍ପରର ହାତ ଧରି ବାଟ ଚାଲିିଛନ୍ତି । ଆଜି ଅର୍ଥାତ୍ ଜୁନ୍ 3 ତାରିଖରେ ଉଭୟ ବିବାହକୁ 49 ବର୍ଷ ପୂରା ହୋଇଛି । ବିବାହ ବାର୍ଷିକୀ ଅବସରରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଫଟୋ ସେୟାର କରିଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏକ ଫଟୋରେ ବିଗ୍ ବି ହାତ ଯୋଡିଥିବା ଦେଖାଯାଇଛି । ଅନ୍ୟ ଏକ ଫଟୋରେ ସେ ତାଙ୍କ ବିବାହର ସ୍ମୃତି ସେୟାର କରିଛନ୍ତି । ଏହି ଫଟୋ ଅମିତାଭ ଏବଂ ଜୟାଙ୍କ ବିବାହ ସମୟ ଅଟେ । ଏହି ପୋଷ୍ଟ ମାଧ୍ୟମରେ ବିଗ୍ ବି ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।