ହାଇଦ୍ରାବାଦ: ଆଜି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ଼ ଦିନ । ଏକାସାଙ୍ଗେ ରିଲିଜ ହୋଇଛି ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 । ଉଭୟ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ସାକ୍ନିଲ୍କର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଗଦର 2 ପ୍ରଥମ ଦିନରେ ଭାରତରେ 35 କୋଟି ଟଙ୍କାରେ ରୋଜଗାର କରିବାର ସମ୍ଭାବନା ରହିଛି । ସେପଟେ ଓମିଜି 2 କଥା କହିବାକୁ ଗଲେ ପ୍ରଥମ ଦିନରେ 9କୋଟି କରିପାରେ ବୋଲି କୁହାଯାଉଛି ।
ଗଦର ୨ ସହ 22ବର୍ଷ ପରେ ସନ୍ନି ଦେଓଲ୍ ପୁଣି ଥରେ ବକ୍ସ ଅଫିସରେ ପାଦ ଦେଇଛନ୍ତି । 2001ରେ ରିଲିଜ ହୋଇଥିବା ଫିଲ୍ମ ଗଦର ଏକ ପ୍ରେମ କଥା ବ୍ଲକବ୍ଲଷ୍ଟର ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା । ଏଥିରେ ଅମୀଷା ପଟେଲ ଏବଂ ସନ୍ନିଙ୍କ ଯୋଡି ଅର୍ଥାତ ତାରା ସିଂ ଏବଂ ସାକିନାଙ୍କ ଲଭକେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ପୁଣି ଥରେ ଏହି ଯୋଡି ଗଦର 2 ସହ ଏକାଠି ଧମାକା କରିବାକୁ ଆସିଛନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ଦମଦାର ରହିଥିଲା । ଏହି ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ' ପାଇଁ 2ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ପ୍ରଥମ ଦିନରେ ଭଲ କଲେକ୍ସନ ସହ ସଫଳତା ହାସଲ କରିବ ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, 100 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମଟି ଭାରତର 3600ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି । 170 ମିନିଟର୍ (2 ଘଣ୍ଟା 50 ମିନିଟ୍) ର ଏହି ଫିଲ୍ମ ପ୍ରାରମ୍ଭିକ ଆକଳନ ଅନୁଯାୟୀ ପ୍ରଥମ ଦିନରେ 35କୋଟି ରୋଜଗାର କରିପାରେ ବୋଲି ଆଶା କରାଯାଉଛି । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଗଦର 2କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଦ୍ବାରା U / A ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହା ଏକ ଆକ୍ସନ୍ ଭିତ୍ତିକ ଚଳଚ୍ଚିତ୍ର । ଗଦର 2ରେ ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ବ୍ୟତୀତ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍ ସିହ୍ନା ନଜର ଆସିବେ ।