ଭୁବନେଶ୍ବର:3 ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ଓଡିଆ ଚଳଚ୍ଚିତ୍ର ମାମା ୱେଡସ ପାପା । ଫିଲ୍ମ ନାମକୁ ଜଣାପଡିଯାଉଛି ବାପାମାଆ ହେବାପରେ କିପରି ଜଣେ ଦମ୍ପତି ବିବାହ କରୁଛନ୍ତି । ପ୍ରାୟ ୩୦ଟି ହଲରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର । ଶ୍ରୀହାନ ସିନେ କ୍ରିଏସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଯୋଜନା ଦେଇଛନ୍ତି ବି ଚନ୍ଦ୍ରପ୍ରିୟ ସୁବୁଦ୍ଧି।
ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଆପୁ କାନୁନଗୋ । ଏଥିସହ ମୁଖ୍ୟ ଭୂମିକାରେ ରହିଛନ୍ତି ଅଭିନେତା ଅଭିଷେକ ରଥ, ଅଭିନେତ୍ରୀ ଜ୍ୟୋତି ମିଶ୍ର, ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଓ ରିତିସା ଏବଂ ଶିଶୁ କଳାକାର ମୁନି । ଏଥିରେ ବଲିଉଡ ଅଭିନେତା କ୍ରୀଷ୍ଣା ଅଭିଷେକଙ୍କୁ ଏକ ସ୍ଵତନ୍ତ୍ର ଚରିତ୍ରରେ ଦେଖିବାକୁ ମିଳିବ ।
ଏହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ପ୍ରଯୋଜନା ସଂସ୍ଥା କହିଛି କାରଣ କ୍ରିଷ୍ଣା ହିଁ ହେଉଛନ୍ତି ସିନେମାର ଟ୍ଵିଷ୍ଟ । ଏହି ଟ୍ଵିଷ୍ଟ ହିଁ ଦର୍ଶକଙ୍କୁ ବେଶୀ ଆକର୍ଷିତ କରିବା ସହ ହଲରେ ବାନ୍ଧିରଖିବ । ସାଧାରଣତଃ ମାଆ ବାପା ପିଲାଙ୍କ ବାହାଘର କରିଥିବା ଆମେ ସମସ୍ତେ ଦେଖିଥିବା ବେଳେ କିନ୍ତୁ ଏହି ଚଳଚ୍ଚିତ୍ରରେ ଜଣେ କୁନି ଝିଅ ତା ମାଆବାପାଙ୍କର ବାହାଘର କରିଥିବା ଦେଖିବାକୁ ମିଳିବ । ଏଭଳି ଏକ ନିଆରା କାହାଣୀକୁ ନେଇ ଫିଲ୍ମ ଟି ଗତିଶୀଳ ହୋଇଥିବା ବେଳେ ପ୍ରେମ, ପାରିବାରିକ ପୃଷ୍ଟଭୂମିରେ ଆଧାରିତ ଚଳଚ୍ଚିତ୍ରଟି ସମସ୍ତଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।