ଭୁବନେଶ୍ବର:ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ନାୟିକା ଲିପ୍ସା ମିଶ୍ର । ନିଜର ଚୁଲବୁଲି ଅନ୍ଦାଜର ଅଭିନୟରେ ଲୋକଙ୍କ ମନ ଜିତିଥିବା ଅଭିନେତ୍ରୀ ଲିପ୍ସା ଶେଷରେ ବଧୂ ସାଜିଛନ୍ତି । ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ଜୀବନସାଥି କରିଛନ୍ତି ଲିପ୍ସା । ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅଭିନେତ୍ରୀଙ୍କ ବିବାହ ଉତ୍ସବରେ ବହୁ ଓଲିଉଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥିଲେ ।
ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ସହ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଏକ ମଣ୍ଡପରେ ଲିପ୍ସାଙ୍କର ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ କାର୍ଯ୍ୟକ୍ରମରେ ଓଲିଉଡ୍ଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହରେ ବଲିଉଡ଼ ଡିଜାଇନର ସବ୍ୟସାଚୀଙ୍କ ଲେହେଙ୍ଗାରେ ବଧୂ ରୂପରେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ ଲିପ୍ସା । ସେହିପରି ଆକାଶ ଏକ କ୍ରିମ୍ ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ବିବାହ ମଣ୍ଡପରେ ଉଭୟଙ୍କ ଯୋଡ଼ି ବେଶ୍ ଝଟକିଥିଲା ।
ସୂଚନା ଅନୁସାରେ, ଲିପ୍ସା ମିଶ୍ର ଓଲିଓଡ଼ର ଜଣେ ଜଣାଶୁଣା ଓ ଆଗଧାଡିର ଅଭିନେତ୍ରୀ ହୋଇଥିବା ବେଳେ ଟିଭି ପରଦାରେ ଅନେକ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ସର୍ବଦା ଦର୍ଶକଙ୍କ ମନ ଜିତିଥିବା ବେଳେ ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି । ସେ ରିଲ ଲାଇଫରେ ଅନେକ ଥର ବାହା ହୋଇଥିବାବେଳେ ଆଜି ରିଅଲ ଲାଇଫରେ ହାତକୁ ଦି' ହାତ ହୋଇଛନ୍ତି । ଆକାଶ ଜଣେ ଯୁବ ଇଞ୍ଜିନିୟର ହୋଇଥିବା ବେଳେ ମାର୍କେଟିଂରେ ଏମ୍ବିଏ କରି ନିଜ ପାରିବାରିକ ବ୍ୟବସାୟର ଦେଖାଶୁଣା କରୁଛନ୍ତି ।