ଭୁବନେଶ୍ବର:ଖୁବଶୀଘ୍ର ମାୟାବିନୀଙ୍କ ମାୟାଜାଲରେ ଛନ୍ଦି ହେଉଥିବା ପୁରୁଷଙ୍କ କାହାଣୀଙ୍କ ନେଇ ପ୍ରସ୍ତୁତ ହେବ ଓଡ଼ିଆ ଚଳଚ୍ଚିତ୍ର 'ମାୟାବିନୀ'। ସଂପ୍ରତି ଖବରର ଶିରୋନାମା ପାଲଟିଥିବା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଓ ପ୍ରଶାସନିକ ଅଧିକାରୀ ମାନେ ଯେଭଳି ଛନ୍ଦି ହୋଇଛନ୍ତି ତାହା ଏବେ ରାଜ୍ୟରେ ଚହଳ ପକାଇଛି । ଯଦିଓ ସିଧାସଳଖ କେଉଁ ବ୍ୟକ୍ତିଙ୍କ ଚରିତ୍ରକୁ ଆଧାର କରି ଏହି ଫିଲ୍ମଟି ନିର୍ମାଣ ହେଉନାହିଁ, କିନ୍ତୁ ସମାଜରେ ଯେଉଁ ନାରୀ ଚରିତ୍ର ପୁରୁଷଙ୍କୁ କରାୟତ କରି ସମାଜକୁ କଳୁଷିତ କରୁଛନ୍ତିି ତାଙ୍କ ଜୀବନଚର୍ଯ୍ୟାକୁ ନେଇ ଖୁବଶୀଘ୍ର ଏକ ଓଡ଼ିଆ ଚଳଚିତ୍ର ଆସିବାକୁ ଯାଉଛି ମାୟାବିନୀ । ଏହି ମାୟାବିନୀ ନାଁରେ ଫିଲ୍ମଟି ନିର୍ମାଣ କରାଯାଉଛି ।
ଏହାର ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ କାହାଣୀ ଲେଖିଛନ୍ତି ଲିଟୁ ମହାନ୍ତି । କାହାଣୀ ଲେଖା ଆରମ୍ଭ ହେଇଥିବା ବେଳେ ଜାନୁଆରୀରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଯୋଜକ । ଜଣେ ମହିଳା କିଭଳି ସହରକୁ ଜୀବିକା ପାଇଁ ଆସୁଛି ଆଉ ସଂଘର୍ଷ କରି ଉପରକୁ ଉଠୁଥିବା ସମୟରେ ସେ ଲୋକଙ୍କ କୁଶ୍ଚିତ ମାନସିକତାର ଶିକାର ହୋଇ ଅତ୍ୟାଚାରିତ ହେଉଛି ଆଉ ସେହି ଅତ୍ୟାଚାର ନିଆଁରେ କିଭଳି ନିଜେ ଜାଳିବା ସହ ସମସ୍ତଙ୍କୁ ଜାଳୁଛି । ଆଉ ପ୍ରତିଷୋଧରେ ନିଆଁରେ ଅନ୍ଧ ହୋଇ କିଭଳି ସମାଜକୁ କଳୁଷିତ କରୁଛି ଆଉ ଶେଷରେ ତା ମାୟାଜାଲର ମାୟାବୀ ଚେହେରା ସାମ୍ନାକୁ ଆସୁଛୁ । ଏଭଳି କିଛି ଜଣା ଅଜଣା ଓ ଅକୁହା କଥାକୁ ନେଇ କାହାଣୀଟି ଗତିଶୀଳ ହେଉଛି। ତେଣୁ ସମାଜର ବର୍ତ୍ତମାନର ଘଟୁଥିବା ଘଟଣାକୁ ନେଇ ଏହି ଓଡ଼ିଆ କାହାଣୀଟି ଏକ ମୌଳିକ କଥାବସ୍ତୁ ଉପରେ ଆଧାରିତ ।