କୋଲକାତା: ଇଡି ସ୍କାନରେ ଓଲିଉଡ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ଅଭିନେତ୍ରୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରାଯାଇଛି । ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିରେ ଅର୍ପିତା ସାମିଲ ଥିବା ସନ୍ଦେହ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଅନେକ ଓଡ଼ିଆ ସିନେମାରେ କମାଲ ଦେଖାଇଥିବା ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ରାଜନୈତିକ ଲିଙ୍କ ଏବେ ଚର୍ଚ୍ଚା ପରିଧିକୁ ଆସିଛି । ଏହି ଘଟଣା ପରେ ଓଡିଶାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅଶୋକ ପତି ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ଅଶୋକ ପତି କହିଛନ୍ତି, "୨୦୦୯ରେ ଏକ ନୂଆ ଫିଲ୍ମ କରିବା ପାଇଁ ମୁଁ ଯୋଜନା କରୁଥିଲି । କିନ୍ତୁ, ଫିଲ୍ମରେ ଏକ ପ୍ରମୁଖ ଭୂମିକା ପାଇଁ ଏକ ନୂଆ ଚେହେରାର ଆବଶ୍ୟକତା ଥିଲା । ଏହି ସମୟରେ ମୁଁ ଗାଡିରେ ଯାଉଥାଏ । ରାସ୍ତାରେ ଯାଉଥିବା ସମୟରେ ଅର୍ପିତାଙ୍କ ଏକ ପୋଷ୍ଟର ଦେଖିଲି । ପରେ ମୁଁ ତାଙ୍କ ନମ୍ବର ଆଣି ଯୋଗାଯୋଗ କରିଥିଲି । ଫିଲ୍ମର ଏହି ଚରିତ୍ର ପାଇଁ ସେ ମଧ୍ୟ ରାଜି ହୋଇଥିଲେ । ଏହାପରେ ଫିଲ୍ମ ନିର୍ମାଣ ହୋଇଥିଲା । ଏହି ଫିଲ୍ମର ନାମ ଥିଲା 'ପ୍ରେମ ରୋଗୀ' । ତାଙ୍କ ସମ୍ପର୍କରେ ମୁଁ ଏତିକି କହିପାରିବି, ସେ ଜଣେ ବହୁତ ଭଲ କଳାକାର । ତାଙ୍କ ଅଭିନୟରେ ଦର୍ଶକ ମଧ୍ୟ ବେଶ୍ ଖୁସି ଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ।"
ଅଶୋକ ପତି ଆହୁରି କହିଛନ୍ତି କି, "ଅର୍ପିତା ଯେତିକି ପରିଶ୍ରମୀ ସେତିକି ସମୟାନୁବର୍ତ୍ତୀ ମଧ୍ୟ ଥିଲେ । କଳାକାର ହେବାର ଇଚ୍ଛା, ଲକ୍ଷଣ ତାଙ୍କ ପାଖରେ ଭରପୁର ମାତ୍ରାରେ ଥିଲା । ଓଡିଶାରେ ଯେତିକି ଫିଲ୍ମ ସେ କରିଥିଲେ, ବର୍ତ୍ତମାନ ସୁଦ୍ଧା ତାଙ୍କ ନାଁରେ ଗୋଟିଏ ମଧ୍ୟ ଅଭିଯୋଗ ଆସିନଥିଲା । ଆଜି ହଠାତ୍ ତାଙ୍କ ସମ୍ପର୍କରେ ଏହିଭଳି ଖବର ଶୁଣିବା ପରେ ସହଜରେ ବିଶ୍ବାସ କରିହେଉନି ।"