ମୁମ୍ବାଇ: ବଲିଉଡ୍ର ଡ୍ୟାନ୍ସିଂ କୁଇନ୍ ନୋରା ଫତେହି । ଇନ୍ଷ୍ଟାଗ୍ରାମ୍ରେ ସେ ଏକାଧିକ ଭିଡିଓ ପୋଷ୍ଟ କରିଥାନ୍ତି । ବଡ଼ ଷ୍ଟାର୍ ଭାବେ ପରିଚିତ ନୋରା ଛୋଟ କଳାକାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ‘ଝଲକ୍ ଦିଖ୍ଲା ଜା’ ଜରିଆରେ ସେ କ୍ୟାରିଅର୍ର ପ୍ରଥମ ସିଡ଼ି ଚଢ଼ିଥିଲେ । ଆଜି ସେହି ମଞ୍ଚରେ ସେ ବିଚାରକ ହୋଇଛନ୍ତି । ଏସବୁ ଭିତରେ ବର୍ତ୍ତମାନ ବାଂଲାଦେଶ ସରକାର ଅଭିନେତ୍ରୀଙ୍କ ଡ୍ୟାନ୍ସ ସୋ' ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେଠାକାର ସରକାର ନୋରା ଫତେହିଙ୍କ ଡ୍ୟାନ୍ସ ସୋ'କୁ ବାତିଲ କରିଛନ୍ତି ।
ଉଲ୍ଲେଖନୀୟ ଯେ, ବାସ୍ତବରେ ବାଂଲାଦେଶର ରାଜଧାନୀ ଢାକାରେ ଏକ କାର୍ଯ୍ୟକ୍ରମ ସମୟରେ ନୋରା ଏକ ନୃତ୍ୟ ପ୍ରଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ବର୍ତ୍ତମାନ ବାଂଲାଦେଶ ସରକାର ନୋରା ଫତେହିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦେଇନାହାଁନ୍ତି । ଡଲାର ସଞ୍ଚୟ ପାଇଁ ବାଂଲାଦେଶ ସରକାର ଏହିଭଳି କରିଛନ୍ତି । ବାଂଲାଦେଶର ସାଂସ୍କୃତିକ ବ୍ୟାପାର ମନ୍ତ୍ରଣାଳୟ ସୋମବାର ଏକ ବିଜ୍ଞପ୍ତି ଜାରି କରିଛି, ଯାହା ଅନୁଯାୟୀ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ କାମ ପାଇଁ ଜଣାଶୁଣା ନୋରା ଫତେହିଙ୍କୁ "ବିଶ୍ବର ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ବୈଦେଶିକ ମୁଦ୍ରା ସଂରକ୍ଷଣ ଉଦ୍ଦେଶ୍ୟରେ" ଅନୁମତି ଦିଆଯାଇ ନାହିଁ ।