ହାଇଦ୍ରାବାଦ: ବଲିଉଡର ଚର୍ଚ୍ଚିତ ଗାୟିକା ନେହା କକ୍କରଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ନେହା କକ୍କର 2020ରେ ଏହି ଦିନ ରୋହନପ୍ରୀତ ସିଂଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏକ ଗୀତ ପାଇଁ ଏକାଠି ହୋଇଥିବା ନେହା ଏବଂ ରୋହନପ୍ରୀତ ଚିରଦିନ ପାଇଁ ଏକାଠି ହୋଇଯିବେ, ଏକଥା ସେମାନେ ମଧ୍ୟ ଜାଣି ନଥିଲେ । କିନ୍ତୁ ଯେତେବେଳେ ଦୁହେଁ ବିବାହ କଲେ, ସେତେବେଳେ ସେମାନେ ଟକ୍ ଅଫ୍ ଦ ଟାଉନ୍ ବନିଗଲେ । ଆଜି ଉଭୟଙ୍କର ଦ୍ବିତୀୟ ବିବାହ ବାର୍ଷିକୀ । ଏହି ଅବସରରେ ଆମେ ଆପଣଙ୍କୁ ଉଭୟଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ ଫିଲ୍ମୀ ଅଟେ ।
ଏମିତି ହୋଇଥିଲା ଭେଟ
ନେହା କକ୍କର ଏବଂ ରୋହନପ୍ରୀତ ସିଂ ପ୍ରଥମେ 'ନେହୁ ଦା ବ୍ୟାହା' ଗୀତର ସେଟରେ ସାକ୍ଷାତ ହୋଇଥିଲେ। ସେମାନଙ୍କ ପ୍ରେମ କାହାଣୀ ବିଷୟରେ ରୋହନପ୍ରୀତ ସିଂ କହିଥିଲେ, 'ଗୀତର ସୁଟିଂ ସମୟରେ ଆମେ ଦୁହେଁ ଭେଟିଥିଲୁ । ନେହା କିପରି ଗୀତର ଲାଇନ୍ ଲେଖିଥିଲେ ମୁଁ ଜାଣି ନଥିଲି । ଏବଂ ଜାଣିନଥିଲି ଯେ ଏହି ଲାଇନଗୁଡ଼ିକ ଆମ ବାସ୍ତବ ଜୀବନରେ ଦିନେ ସତ ହୋଇଯିବ । ଏହି ଗୀତ ମୋ ଜୀବନ ବଦଳାଇ ଦେଲା ।
ପ୍ରଥମ ଦେଖାରେ ମନ ହଜିଗଲା
ପ୍ରଥମ ଦେଖାରେ ଉଭୟ ରୋହନପ୍ରୀତ ଏବଂ ନେହା ପରସ୍ପରକୁ ହୃଦୟ ଦେଇ ବସିଥିଲେ । ନେହା ରୋହନପ୍ରୀତଙ୍କ ବ୍ୟବହାରକୁ ପସନ୍ଦ କରୁଥିଲେ । ରୋହନପ୍ରୀତଙ୍କୁ ଦେଖିବା ପରେ ନେହା କ’ଣ ଭାବିଥିଲେ ସେ ବିଷୟରେ କହିଛନ୍ତି, ମୋର ପ୍ରଥମ ଭାବନା ଥିଲା ଯେ ସେ ସେଟ୍ରେ ଥିବା ସମସ୍ତଙ୍କ ସହ ଭଲ ବ୍ୟବହାର କରୁଛନ୍ତି । ସେ ବହୁତ କ୍ୟୁଟ୍ ଥିଲେ । ମୁଁ ପ୍ରଥମ ଦିନରେ ହିଁ ଅନୁଭବ କରିନେଲି ଯେ ସେ ମୋ ପାଇଁ ଉପଯୁକ୍ତ ଜୀବନ ସାଥୀ ।
ନେହା ରଖିଥିଲେ ସର୍ତ୍ତ
ନେହା ରୋହନପ୍ରୀତଙ୍କ ପୂର୍ବରୁ ହିମାଂଶ କୋହଲିଙ୍କୁ ଡେଟ କରୁଥିଲେ । କିନ୍ତୁ ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଥିଲା । ଏହା ପରେ ନେହାଙ୍କର ପ୍ରେମ ଉପରୁ ବିଶ୍ୱାସ ଉଠିଗଲା । ଏଭଳି ପରିସ୍ଥିତିରେ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ ଏବଂ ଏହି କାରଣରୁ ସେ ସିଧା ବିବାହ କରିନେବେ ବୋଲି ଚିନ୍ତା କରିଥିଲେ । ଏଭଳି ପରିସ୍ଥିତିରେ, ଯେତେବେଳେ ରୋହନପ୍ରୀତ ସାହସ ଜୁଟାଇ ନେହାଙ୍କୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ନେହା କହିଥିଲେ ଯେ, ସେ ରିଲେସନସିପ୍ରେ ରହିବାକୁ ଚାହୁଁନାହାଁନ୍ତି । ସେ ସିଧାସଳଖ ବିବାହ କରିବାକୁ ଚାହୁଁଛନ୍ତି । ସେ ସମୟରେ ରୋହନପ୍ରୀତଙ୍କୁ ମାତ୍ର 25 ବର୍ଷ ହୋଇଥିଲା ତେଣୁ ସେ ବିବାହ କରିବାକୁ ଚାହୁଁନାହାଁନ୍ତି ବୋଲି କହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଗଲା ।
ମାଆଙ୍କ କଥାରେ ହୋଇଥିଲା ବିବାହ
କିଛି ଦିନ ପରେ ରୋହନପ୍ରୀତ ଅନୁଭବ କଲେ ଯେ ସେ ନେହା ବିନା ବଞ୍ଚି ପାରିବେ ନାହିଁ ଏବଂ ସେ କଲ୍ କରି ନେହାଙ୍କୁ ବିବାହ କରିବାକୁ କହିଥିଲେ । ନେହା ଭାବିଲେ ଯେ ରୋହନପ୍ରୀତ ମଦ ପିଇଛନ୍ତି, ତେଣୁ ବୋଧହୁଏ ସେ ଏହିପରି କହୁଛନ୍ତି ଏବଂ ସକାଳେ ସେ ସବୁ ଭୁଲିଯିବେ । କିନ୍ତୁ ଏହିପରି କିଛି ହୋଇ ନଥିଲା ଏବଂ ରୋହନପ୍ରୀତ ସକାଳେ ପୁଣି ବିବାହ ବିଷୟରେ କଥା ହୋଇଥିଲେ। ଏହା ଉପରେ ନେହା କହିଥିଲେ ଯେ ସେ ତାଙ୍କ ମାଆ ସହିତ କଥା ହେବା ଉଚିତ୍ । ରୋହନପ୍ରୀତ ନେହାଙ୍କ ମାଆଙ୍କୁ ଭେଟି ସେମାନଙ୍କର ବିବାହ ସ୍ଥିର କରିଥିଲେ । ଏହା ପରେ, ଉଭୟ 24 ଅକ୍ଟୋବର 2020ରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ଉଭୟ ସୋସିଆଲ ମିଡିଆରେ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଏ ।