ଲକ୍ଷ୍ନୌ: ଚଳଚ୍ଚିତ୍ର ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ କବି ମୁନଓ୍ବର ରାଣାଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଛି । ସେ କିଡନୀ ଜନିତ ରୋଗରେ ପୀଡିତ ଥିବା ବେଳେ ଗତ କିଛି ଦିନ ହେବ ଚିକିତ୍ସାଧୀନ ଥିଲେ । ଗତକାଲି (ରବିବାର) ବିଳମ୍ବିତ ରାତିରେ ସେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଝିଅ ସୁମୈୟା ରାଣା ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ କରିଛନ୍ତି ।
ସୁମାୟା ରାଣାଙ୍କ ସୂଚନା ମୁତାବକ, ମୁନଓ୍ବର ରାଣାଙ୍କ ସପ୍ତାହକୁ ୩ଥର ଡାଏଲିସିସ୍ ହେଉଥିଲା । ସେ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଏନେଇ ଗତ କିଛି ଦିନ ପୂର୍ବେ ଡାଏଲିସିସ୍ ପାଇଁ ଯାଇଥିଲେ, ଯାହା ପରେ ତାଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ଚେକଅପ୍ କରାଯିବାରୁ ନିମୋନିଆ ହୋଇଥିବା ଜଣାପଡିଥିଲା । ଏହି କାରଣରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମୁନଓ୍ବର ରାଣା ୧୯୫୨ ମସିହାରେ ଉତ୍ତର ପ୍ରଦେଶର ରାୟବରେଲୀ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସେ ଜୀବନର ଅଧିକାଂଶ ସମୟ କୋଲକାତାରେ ବିତାଇଥିଲେ । ଏହା ପରେ ସେ ଲକ୍ଷ୍ନୌକୁ ଆସି ହୁସେନଗଞ୍ଜ ଲାଲକୁଆଁ ନିକଟ ଏକ ଫ୍ଲାଟରେ ରହିଥିଲେ । ଅଣ-ଉର୍ଦ୍ଦୁ କବିତା ସମ୍ମିଳନୀରେ ତାଙ୍କର ଲୋକପ୍ରିୟତା ଅତୁଳନୀୟ ଥିଲା ।