ହାଇଦ୍ରାବାଦ: କଥାରେ ଅଛି... ପ୍ରେମ ଦେଖେ ନାହିଁ ବୟସ କି ଧର୍ମ । କେତେବେଳେ କାହାକୁ ଓ କେଉଁ ପରିସ୍ଥିତିରେ ପ୍ରେମ ହୁଏ । ନା କିଏ ଜାଣିପାରିବ, ନା କିଏ କହିପାରିବ । ମିଲିନ୍ଦ ସୋମନ୍ଙ୍କ କ୍ଷେତ୍ରରେ ଏହି କଥାଟି ଫିଟ୍ ହେଉଛି । ସର୍ବଦା ଫିଟନେସ ପାଇଁ ଚର୍ଚ୍ଚାରେ ରହିଆସିଥିବା ମିଲିନ୍ଦ ସୋମନ ବଲିଉଡ, ଟେଲିଭିଜନ ଏବଂ ମଡେଲିଂରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ମିଲିନ୍ଦ ସୋମନ ଆଜି ମଧ୍ୟ ଯେତେବେଳେ ରାମ୍ପରେ ଚାଲନ୍ତି, ସେତେବେଳେ ଯୁବ ମଡେଲ ତାଙ୍କ ସାମ୍ନାରେ ଫିକା ପଡିଯାଆନ୍ତି । ନିଜଠାରୁ ବୟସରେ 26 ବର୍ଷ ସାନ ଯୁବତୀ ଅଙ୍କିତା କୋନୱାରଙ୍କୁ ବିବାହ କରି ଦିନେ ଚର୍ଚ୍ଚାରେ ଥିଲେ ମିଲିନ୍ଦ । 4 ନଭେମ୍ବର 1965 ରେ ଜନ୍ମ ହୋଇଥିବା ମିଲିନ୍ଦ ସୋମନ ଆଜି ତାଙ୍କର 57 ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଦିନରେ ଦମ୍ପତିଙ୍କ ବନ୍ଧୁତାରୁ ବିବାହ ପର୍ଯ୍ୟନ୍ତ ଯାତ୍ରା ସମ୍ପର୍କରେ...।
ନାଇଟ୍ କ୍ଲବ୍ରେ ପ୍ରଥମ ସାକ୍ଷାତ
ମିଲିନ୍ଦ ସୋମନ୍ ଏବଂ ଅଙ୍କିତା କୋନୱାଙ୍କର ପ୍ରଥମେ ଏକ ନାଇଟ୍ କ୍ଲବ୍ରେ ଭେଟ ହୋଇଥିଲା । ଏହି ସମୟରେ ଦୁହେଁ ପରସ୍ପରକୁ ଦେଖି ମଧ୍ୟ ଅଣଦେଖା କରିପାରିନଥିଲେ। ସେମାନଙ୍କ ଆଖି ବାରମ୍ବାର ପରସ୍ପର ଆଡକୁ ଟାଣି ନେଉଥିଲା । ଶେଷରେ ସାହସ ଜୁଟାଇ ଅଙ୍କିତା ମିଲିନ୍ଦଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ ଏବଂ ସେ ହଁ କହିଥିଲେ। ଏହା ପରେ ଉଭୟ ଏକାଠି ଡ୍ୟାନ୍ସ କରିଥିଲେ । ଏହି ସମୟରେ ଅଙ୍କିତା ମିଲିନ୍ଦଙ୍କୁ ତାଙ୍କ ଫୋନ୍ ନମ୍ବର ମାଗିଥିଲେ। ଦୁହେଁ କିଛି ଦିନ ଫୋନରେ କଥାବାର୍ତ୍ତା ହେବା ପରେ ସେମାନଙ୍କ ବନ୍ଧୁତା ଆହୁରି ନିବିଡ ହୋଇଯାଇଥିଲା ।