ହାଇଦ୍ରାବାଦ:ବିବାଦରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମନସୁର ଅଲ୍ଲୀ ଖାନ । ନିକଟରେ ଥାଲାପଥୀ ବିଜୟଙ୍କ ଫିଲ୍ମ 'ଲିଓ'ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ । ତାଙ୍କର ଏହି ସଫଳତା ପରେ ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ଦେଇଥିବା ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି ।
ଫିଲ୍ମରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ତାଙ୍କୁ ସମାଲୋଚନା କରାଯାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ମତ ରଖିଛନ୍ତି ଲୋକେଶ କନକରାଜଙ୍କ ସମେତ ଅନ୍ୟାନ୍ୟ ଅଭିନେତା । ତାଙ୍କର ଏଭଳି ବୟାନ ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ଉଲ୍ଲେଖ ରହିଛି ।
ସୂଚନା ଅନୁସାରେ, ମନସୁର ଅଲ୍ଲୀ ଖାନ ପ୍ରେସମିଟରେ କହିଥିଲେ,"ସେମାନେ ମୋତେ ଚଳଚ୍ଚିତ୍ରରେ ଦୁଷ୍କର୍ମ ସିନ୍ କରିବାକୁ ଦେଲେ ନାହିଁ । ମୁଁ ପୂର୍ବରୁ ସ୍ଥିର କରିଥିଲି ଯେ 'ଲିଓ' ଫିଲ୍ମର ସଫଳତା ପାଇଁ ଆୟୋଜିତ ମିଟ୍ ଇଭେଣ୍ଟରେ ମୁଁ ଏ ବିଷୟରେ କହିବି । କିନ୍ତୁ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଅଭିନେତ୍ରୀ ତ୍ରିଶାଙ୍କ ସହ ବେଡରୁମ ସିନ କରିବାକୁ ମୁଁ ଆଗ୍ରହୀ ଥିଲି । ହେଲେ ନିର୍ଦ୍ଦେଶକ ମତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।"