ହାଇଦ୍ରାବାଦ:ବଲିଉଡ ଅଭିନେତା ମନୋଜ ବାଜପେୟୀ ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତି ଆସୁଛନ୍ତି । ହେଲେ ଗତ କିଛି ଦିନ ହେଲା ଅଭିନେତା ରାଜନୀତିରେ ଏଣ୍ଚ୍ରି କରିବା ନେଇ ଚର୍ଚ୍ଚା ଜୋର ଧରିଛି । ମନୋଜ ବାଜପେୟୀ ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି । ତେବେ ନିକଟରେ ମନୋଜ ରାଜନୀତିରେ ଏଣ୍ଟ୍ରି କରିବା ଭଲ ନୁହଁ ବୋଲି କହିଥିଲେ । ବର୍ତ୍ତମାନ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ ଭାଇରାଲ ହେଉଛି । ଯେଉଁଥିରେ ସେ ଲୋକସଭା ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ମନୋଜ ବାଜପେୟୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି ଯେ, ମନୋଜ ବିହାରର ପଶ୍ଚିମୀ ଚମ୍ପାରଣରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢିବେ । ଏଥିରେ ଏହା ମଧ୍ୟ ଲେଖାଯାଇଛି ଯେ ବିପକ୍ଷରେ ଯେଉଁ ପ୍ରାର୍ଥୀ ବି ଛିଡା ହୁଅନ୍ତୁ ବିଜେପି ହିଁ ଏହି ସିଟରେ ଜିତିବ । ଏହି ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି, 'ତେବେ କୁହ, ଏହି କଥା କିଏ କହିଛି ନା କାଲି ରାତିରେ ତୁମକୁ ସ୍ବପ୍ନ ଆସିଥିଲା । କୁହନ୍ତୁ କୁହନ୍ତୁ ।'
ସୂଚନା ଥାଉକି, ନିକଟରେ ଏକ ସାକ୍ଷାତକାରରେ ରାଜନୀତିରେ ଏଣ୍ଟ୍ରି ନେଇ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଗତ ୨୫ ବର୍ଷ ଧରି ଯେବେ ଯେବେ ନିର୍ବାଚନ ଆସିଛି, ବିହାର ଏବଂ ମୋ ସହରରେ ମୁଁ ନିର୍ବାଚନ ଲଢିବି ବୋଲି ଗୁଜବ ଖବର ପ୍ରସାରିତ ହୋଇଥାଏ । ଆଉ ତା'ପରେ ମୋର ଯେକୌଣସି ସାଙ୍ଗ ମୋତେ ଫୋନ କରି ଏ ବିଷୟରେ ପଚାରିଥାନ୍ତି । ସେମାନେ କୁହନ୍ତି, ମନୋଜ ତୁ କେଉଁ ପାର୍ଟିରୁ ନିର୍ବାଚନ ଲଢୁଛୁ କି ? କାରଣ ସେମାନେ ମଧ୍ୟ କେଉଁ ପାର୍ଟିରୁ ନିର୍ବାଚନ ଲଢିଥାନ୍ତି । ତା'ପରେ ସେମାନଙ୍କୁ ମୁଁ ନିର୍ବାଚନ ଲଢୁନାହିଁ ବୋଲି ବିଶ୍ବାସ ଦେବାକୁ ପଡୁଛି । ଏହାସହ ସେ ରାଜନୀତିରେ ଆସିବେ ନାହିଁ ବୋଲି ମଧ୍ୟ କହିଥିଲେ ।
ଏହା ମଧ୍ୟ ପଢନ୍ତୁ:ଆସିଲା 'କ୍ରିଲର ସୁପ୍' ଟ୍ରେଲର, କ୍ରାଇମ ସିରିଜ ସହ ମନୋଜ-କୋଙ୍କଣା ଲଗାଇବେ ତଡକା
ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ମନୋଜ ବାଜପେୟୀ ବର୍ତ୍ତମାନ ତାଙ୍କ ଆଗାମୀ ୱେବସିରିଜ 'କ୍ରିଲର ସୁପ୍' ସହ ଫେରୁଛନ୍ତି । ଏହି ସିରିଜରେ ମନୋଜ ବାଜପେୟୀ ଡବଲ ଧମାକା କରୁଥିବା ଦେଖିବାକୁ ମିଳିବ । ଚଳିତ ବର୍ଷ ୧୧ ଜାନୁଆରୀରେ ଏହି ସିରିଜ ନେଟଫ୍ଲିକ୍ସରେ ରିଲିଜ ହେବ । ନିର୍ଦ୍ଦେଶକ ଅଭିଷେକ ଚୋବ 'କିଲର ସୁପର' ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିରିଜ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ ଭାଷାରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଚଳିତ ବର୍ଷର ମନୋଜ ବାଜପେୟୀଙ୍କର ଏହା ହେବ ପ୍ରଥମ ୱେବ୍ ସିରିଜ୍ ।