ହାଇଦ୍ରାବାଦ:ବଢୁଛି ବଲିଉଡ ଓ ସାଉଥ୍ ସିନେମା ଇଣ୍ଡଷ୍ଟ୍ରି ମଧ୍ୟରେ ବିବାଦ । ବର୍ତ୍ତମାନ ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଏକ ବୟାନକୁ ନେଇ ପୁଣି ଆରମ୍ଭ ହୋଇଯାଇଛି ବିବାଦ। ନିକଟରେ ଅଦିବି ଶେଷଙ୍କ ଫିଲ୍ମ 'ମେଜର'ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁକୁ ନେଇ ନିଜର ମତ ରଖିଛନ୍ତି। ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି କି, ବଲିଉଡ ମୋତେ ଟଙ୍କା ଦେଇପାରିବ ନାହିଁ । ତେଣୁ ସେ ହିନ୍ଦୀ ସିନେମାରେ କାମ କରି ନିଜର ସମୟ ବର୍ବାଦ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।
ବଲିଉଡ ଡେବ୍ୟୁକୁ ନେଇ କ'ଣ କହିଛନ୍ତି ମହେଶ ବାବୁ
ହିନ୍ଦୀ ଚଳଚ୍ଚିତ୍ର ବିଷୟରେ କଥାବାର୍ତ୍ତା କରି ମହେଶ ବାବୁ କହିଛନ୍ତି- ବଲିଉଡ ତରଫରୁ ମୋତେ ଅନେକ ଅଫର ମିଳିଛି, କିନ୍ତୁ ମୋତେ ଲାଗୁନାହିଁ କି ପ୍ରଯୋଜକମାନେ ମୋତେ ସେତିକି ଟଙ୍କା ଦେଇପାରିବେ, ଯେତିକି ସାଉଥ୍ ସିନେମାରେ ମୋତେ ମିଳୁଛି। ଏହାସହ ତାଙ୍କୁ ଜଣେ କଳାକାର ଭାବେ ସାଉଥ ସିନେମାରେ ଯେତିକି ଷ୍ଟାରଡମ୍ ତଥା ସମ୍ମାନ ମିଳୁଛି ତାହା ତାଙ୍କ ପାଇଁ ବଡ, ଏହି କାରଣରୁ ସେ ସାଉଥ ଛାଡି ଅନ୍ୟ ସିନେମା ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଅଭିନେତା ଆହୁରି କହିଛନ୍ତି କି, ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ । ମୋର ସ୍ୱପ୍ନ ବର୍ତ୍ତମାନ ସତ ହେଉଛି ଏବଂ ମୁଁ ଏହାଠାରୁ ଅଧିକ ଖୁସି ହୋଇପାରିବି ନାହିଁ । ଉଲ୍ଲେଖନୀୟ ଯେ, ମହେଶ ବାବୁଙ୍କୁ ଶେଷ ଥର ପାଇଁ Sarileru Neekevvaru ଦେଖିବାକୁ ମିଳିଥିଲା | ଏହି ଚଳଚ୍ଚିତ୍ରଟି 2020 ରେ ମୁକ୍ତିଲାଭ କରିଥିଲା । ଏହି ଅଭିନେତା ଖୁବ୍ ଶୀଘ୍ର Sarkaru Vaari Petla ଫିଲ୍ମରେ ନଜର ଆସିବେ । ଫିଲ୍ମଟି ମେ 12 ରେ ସିନେମାରେ ମୁକ୍ତିଲାଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ