ମୁମ୍ବାଇ:ମିସ୍ ୟୁନିଭର୍ସ ତଥା ବଲିଉଡ଼ର ସଫଳ ଅଭିନେତ୍ରୀ ସୁସ୍ମିତା ସେନ (Sushmita Sen Wedding) ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ ପ୍ରତିଷ୍ଠିତ ବ୍ୟବସାୟୀ ତଥା IPLର ପୂର୍ବତନ ପ୍ରତିଷ୍ଠାତା ଲଲିତ ମୋଦି (Lalit Modi)ଙ୍କୁ ବିବାହ କରିବାକୁ ଯାଉଛନ୍ତି । ଲଲିତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେ ନିଜ ପୋଷ୍ଟରେ ସୁସ୍ମିତାଙ୍କୁ 'ବେଟର ହାଫ୍' ବୋଲି ସମ୍ବୋଧନ କରିଛନ୍ତି । ଲଲିତ ମୋଦି ସୁସ୍ମିତାଙ୍କ ସହ ଅନେକ ଫଟୋ ସେୟାର କରି ନିଜ ଲଙ୍ଗ୍ ଟୁର୍ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ଲଣ୍ଡନ ଫେରିବା ପରେ ଆଗକୁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ପୋଷ୍ଟରେ ଲେଖିଛନ୍ତି ।
ତେବେ ସୂଚନା ଥାଉ କି ସୁସ୍ମିତା ସେନ ପୂର୍ବରୁ ରୋହମାନ ସଲ୍ଙ୍କ ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ରିଲେସନସିପରେ ଥିଲେ । ଏହାବ୍ୟତୀତ ସୁସ୍ମିତାଙ୍କ ୨ଟି ପୋଷ୍ୟ ସନ୍ତାନ ମଧ୍ୟ ରହିଛି । ଅନ୍ୟପଟେ ଲଲିତ ମୋଦି ହେଉଛନ୍ତି ଜଣେ ଭାରତୀୟ ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ । ତାଙ୍କ ବିରୋଧରେ ଅନୈତିକତା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗ ହେବା ପରେ ମୋଦିଙ୍କୁ BCCIରୁ ନିଲମ୍ବିତ କରିଥିଲା । ବିସିସିଆଇ ତାଙ୍କ ବିରୋଧରେ ଏକ ତଦନ୍ତ ଆରମ୍ଭ କରିଥିଲା ଏବଂ ୨୦୧୩ରେ ଏକ କମିଟି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।
ମୋଦି କୌଣସି ଭୁଲ କରିନଥିବା କହିଥିବା ବେଳେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ । ଆର୍ଥିକ ଅନିୟମିତତା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାର କିଛି ସମୟ ପୂର୍ବରୁ ମୋଦି ଲଣ୍ଡନ ଯାଇ ପଳାତକ ଭାବେ ସେଠାରେ ବସବାସ କରୁଛନ୍ତି ।