ହାଇଦ୍ରାବାଦ:କରୀନା କପୁର ଖାନ ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ । ତାଙ୍କ ନାମ ବଲିଉଡର ଦୁଇଟି ପ୍ରତିଷ୍ଠିତ ପରିବାର ସହିତ ଜଡ଼ିତ । ସେ କପୁର ପରିବାରର ଝିଅ ଏବଂ ନବାବ ଅର୍ଥାତ୍ ପଟୌଦି ପରିବାରର ବୋହୂ ଅଟନ୍ତି । କରୀନା କପୁର 1980 ସେପ୍ଟେମ୍ବର 21ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି କରୀନା ତାଙ୍କର 43ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ଆମେ ଅଭିନେତ୍ରୀଙ୍କ ପ୍ରୋଫେସନ୍ ନୁହେଁ, ବରଂ ରିୟଲ ଲାଇଫ୍ ସମ୍ପର୍କରେ କିଛି କହିବୁ ।
କରୀନା କପୁର ତାଙ୍କ ପିତାମାତା ଏବଂ ଭଉଣୀଙ୍କ ପଥ ଅନୁସରଣ କରି ବଲିଉଡ୍ରେ ପ୍ରବେଶ କରିଥିଲେ । ହେଲେ ବଡ଼ ରୋଚକପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା ବେବୋଙ୍କ ଫିଲ୍ମ କ୍ୟାରିଅର । ନିର୍ମାତା ରାକେଶ ରୋଶନଙ୍କ କହୋନା ପ୍ୟାର ହୈରେ ହ୍ରିତିକ ରୋଶନଙ୍କ ସହ ଡେବ୍ୟୁ କରିଥାଆନ୍ତେ କରୀନା । କିନ୍ତୁ ହ୍ରିତିକ ନିର୍ଦ୍ଦେଶକଙ୍କ ପୁଅ ହୋଇଥିବାରୁ ଫିଲ୍ମରେ ତାଙ୍କୁ ଅଧିକ ଫୋକସ କରାଯାଉଥିବା ଅଭିଯୋଗ କରି ଓହରି ଯାଇଥିଲେ କରୀନା । ପରେ 2000 ମସିହାରେ ୱାର ଡ୍ରାମା ରେଫ୍ୟୁଜିରେ ଅଭିଷେକ ବଚ୍ଚନଙ୍କ ସହ ଡେବ୍ୟୁ କରିଥିଲେ କରୀନା । ଆଜି ତାଙ୍କ ନାମ ବି-ଟାଉନର ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛି । କରୀନା କପୁର ହିନ୍ଦୀ ସିନେମାକୁ ଗୋଟିଏ ନୁହେଁ ଅନେକ ବଡ ବଡ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି।
କରୀନା ୨୦୦୧ରେ ‘କଭି ଖୁସି କଭି ଗମ୍’ରେ ଦମଦାର ଅଭିନୟ କରି ବେଶ ଚର୍ଚ୍ଚାକୁ ଆସିଥିଲେ । ଏହା ପରଠୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ନିଜର ଖଟା ମିଠା ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ କରୀନା । ବଡିଗାର୍ଡ, ଥ୍ରି-ଇଡିଅଟ, ତଲାସ, ହଲଚଲ, ଜବ ଉଇ ମେଟ୍, ଗୋଲମାଲ୍-୩ ଓ ବଜରଙ୍ଗୀ ଭାଇଜାନ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ଟପ୍ ହିରୋଇନ ସାଜିଥିଲେ କରୀନା । ତେବେ ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ ପରେ ମଧ୍ୟ ବଲିଉଡରେ ଏବେବି ସକ୍ରିୟ ରହିଛନ୍ତି କରୀନା ।