ହାଇଦ୍ରାବାଦ: ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ 'ଦ କେରଳ ଷ୍ଟୋରୀ' ବିବାଦର ପିଛା ଛାଡୁନି । ଟ୍ରେଲର ରିଲିଜ ହେବା ପର ଠାରୁ ସାରା ଦେଶରେ ଫିଲ୍ମ ଆଲୋଚନାର ବିଷୟ ପାଲଟିଛି । ଏନେକ ଫିଲ୍ମକୁ ସମର୍ଥନ କରି ପ୍ରଶଂସା କରୁଥିବା ବେଳେ ଅନେକ ଫିଲ୍ମକୁ ନେଇ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ ଏବଂ ସାଉଥ ସିନେମାରେ ଲୋକପ୍ରିୟତା ସାଉଁଟିଥିବା ଭେଟେରାନ ଅଭିନେତା କମଲ ହାସନ ଏହି ଫିଲ୍ମ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଅଭିନେତା କହିଛନ୍ତି ଯେ ଏକ ଟ୍ୟାଗଲାଇନ୍ ଲଗାଇଦେଲେ ଏକ ଫିଲ୍ମ 'ପ୍ରକୃତ କାହାଣୀ' ହୋଇଯାଏନାହିଁ ।
IIFA ଆୱାର୍ଡ ସାମରୋହରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା କମଲ ହାସନ 'ଦ କେରଳ ଷ୍ଟୋରୀ' ନେଇକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ପ୍ରଚାର ଚଳଚ୍ଚିତ୍ରର ବିରୋଧୀ । ଏକ ଟ୍ୟାଗଲାଇନ୍ ଲଗାଇଦେଲେ ଏକ ଫିଲ୍ମ 'ପ୍ରକୃତ କାହାଣୀ' ହୋଇଯାଏ ନାହିଁ । ବାସ୍ତବରେ ଏହି ଘଟଣା ସତ ବି ହେବା ଦରକାର । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଦେଶର ଲୋକଙ୍କୁ ଭାଗ କରିବା ପାଇଁ କାମ କରୁଥିବା ଫିଲ୍ମକୁ ପସନ୍ଦ କରେ ନାହିଁ ।