ମୁମ୍ବାଇ :ମୁମ୍ବାଇରେ ଆଲିସାନ ଘର କିଣିଲେ ବଲିଉଡର ହ୍ୟାଣ୍ଡସମ ହଙ୍କ୍ ଜନ ଆବ୍ରାହମ । ମୁମ୍ବାଇର ଖାର ଅଞ୍ଚଳରେ ସେ କିଣିଥିବା ଏହି ଆଲିସାନ ବଙ୍ଗଳା ଏକ ଜନବହୁଳ ଅଞ୍ଚଳରେ ଅବସ୍ଥିତ । ଯାହା ନିକଟରେ ରହିଛି ଟପ୍ କଲେଜ । ଏହା ଏକ ପ୍ରମୁଖ ଅଞ୍ଚଳ ହୋଇଥିବାବେଳେ ଏଠାରେ ସହରର ସର୍ବାଧିକ ବ୍ୟବସାୟିକ ସମ୍ପତ୍ତି ହାର ରହିଥିବା କୁହାଯାଏ । ତେବେ ଜନ୍ କିଣିଥିବା ଏହି ସମ୍ପତ୍ତିର ମୂଲ୍ୟ ୭୦ କୋଟିରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି । ଏହି ସମ୍ପତ୍ତିର ମୂଲ୍ୟ ସମସ୍ତଙ୍କୁ ତାଜୁବ କରିଛି ।
ଆଜି କାଲି ରିଏଲ ଇଷ୍ଟେଟରେ ସେଲିବ୍ରିଟିମାନେ ବିନିଯୋଗ କରୁଥିବା ଦେଖିବାକୁ ମିଳିଛି । ଗତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ନୂଆ ଆପାର୍ଟମେଣ୍ଟ କିଣିବା ନେଇ ଚର୍ଚ୍ଚାରେ ରହିଥିଲେ । ଆଲିଆ ଭଟ୍ଟ ଏବଂ ଅନନ୍ୟା ପାଣ୍ଡେଙ୍କ ଭଳି ଅଭିନେତ୍ରୀ ନିଜର ନୂଆ ଘରକୁ ନେଇ ବେଶ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେହିପରି ଚଳିତ ବର୍ଷ ଜନ ଆବ୍ରାହମ ମଧ୍ୟ ଏକ ଆଲିସାନ ଘର କିଣିଛନ୍ତି । ବର୍ଷ ଶେଷରେ ଅର୍ଥାତ୍ ଗତ ୨୭ ଡିସେମ୍ବରରେ ସେ ଏହି ଘର ପାଇଁ ଚୁକ୍ତି କରିଛନ୍ତି । ଯାହାର ମୂଲ୍ୟ ୭୦ କୋଟିରୁ ଉର୍ଦ୍ଧ୍ବ ଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ନିଜର ଆଲିସାନ ଘରକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଏକ ମ୍ୟୁଜିକ କମ୍ପାନୀକୁ ଭଡ଼ା ଦେଇଥିଲେ ବିଗ ବି ଅମିତାଭ ବଚ୍ଚନ । ପୁଣି ଥରେ ବଲିଉଡର ଆଉ ଜଣେ ଅଭିନେତା ଜନ୍ ଆବ୍ରାହମ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି ।