ନୂଆଦିଲ୍ଲୀ:୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ । ଚାରିଆଡେ ସିନେ ସେଲିବ୍ରିଟିଙ୍କ ଭିଡ଼ ଜମିଥିଲାବେଳେ ରେଡ୍ କାର୍ପେଟ୍ରେ ଚାଲିଥିଲେ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର । ବିଶ୍ୱବିଖ୍ୟାତ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଓଡ଼ିଆ ଫିଲ୍ମ ନିର୍ମାତା ଓ ପ୍ରମୋଟର୍ ଜିତେନ୍ଦ୍ର ମିଶ୍ର ଏବଂ ତାଙ୍କ ପତ୍ନୀ ଡୋନା କାନ୍ସ ଫେଷ୍ଟିଭାଲ୍ର ରେଡ କାର୍ପେଟ୍ରେ ଚାଲିଥିବା ସୂଚନା ମିଳିଛି ।
ଜିତେନ୍ଦ୍ର ଏହି କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । ସେଠାରେ ଉପସ୍ଥିତ ଦର୍ଶକ ପୋଷାକର ଡିଜାଇନ୍ ଓ ପ୍ରସ୍ତୁତି ପ୍ରଶଂସା କରିଥିଲେ । କାନ୍ସ ରେଡ୍ କାର୍ପେଟ୍, ଯାହା ଉପରେ ସାରା ବିଶ୍ୱର ନଜର ଥାଏ । ଏହି ରେଡ୍ କାର୍ପେଟ୍ ନାମୀଦାମୀ କଳାକାର ସେମାନଙ୍କର ଜଲଓ୍ବା ଦେଖାଇଥାନ୍ତି । ଏତେ ବଡ଼ ମହୋତ୍ସବରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ଜିତେନ୍ଦ୍ରଙ୍କ ପାଇଁ ଏକ ବଡ ସୁଯୋଗ ଥିଲା ।