ହାଇଦ୍ରାବାଦ:ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ବକ୍ସ ଅଫିସରେ ଧମାକା କରୁଛି । ଏହି ଫିଲ୍ମ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମର ଗୀତ ଏବଂ ଡାଇଲଗକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ବିଶେଷ କରି ଫିଲ୍ମର ଡାଇଲଗ୍ 'ବେଟେ କୋ ହାଥ ଲଗାନେ ସେ' ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏପରିକି ଏହି ଡାଇଲଗ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶାହାରୁଖ ପୁଅ ଆର୍ଯ୍ୟନଙ୍କ ମାମଲାରେ ସମୀର ୱାଙ୍ଖେଡେଙ୍କୁ ଟାର୍ଗେଟ କରି କହିଥିବା କୁହାଯାଉଥିଲା । ଏଥିସହ ଦୁବାଇରେ ଜବାନର ଟ୍ରେଲର ଲଞ୍ଚ ସମୟରେ ଶାହାରୁଖ ଏହି ଡାଇଲଗ ସମସ୍ତ ବାପା ମା'ଙ୍କୁ ଉର୍ତ୍ସଗ କରାଯାଇଥିବା କହିଥିଲେ । ତେବେ ବର୍ତ୍ତମାନ ଜବାନର ଡାଇଲଗ ରାଇଟର ସୁମିତ ଆରୋରା ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ଏହି ସଂଳାପ ସ୍କ୍ରିପ୍ଟର ଅଂଶ ନୁହେଁ ।
ଫିଲ୍ମର ଡାଇଲଗ ରାଇଟର ସୁମିତ ଆରୋରା କହିଛନ୍ତି, ସୁଟିଂ ଦିନ ହିଁ ଏହି ଡାଇଲଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ଏହି ଡାଇଲଗ୍ ଫିଲ୍ମର ମୂଳ ଡ୍ରାଫ୍ଟରେ ନଥିଲା । ଫିଲ୍ମର ଏକ ସିନ ସୁଟ ଚାଲିଥିଲା । 'ମୁଁ ସେଟରେ ଥିଲି, ତେଣୁ ମୋତେ ଭିତରକୁ ଡକାଗଲା ଏବଂ ସେହି ସମୟରେ ମୋ ପାଟିରୁ ପ୍ରଥମ ଶବ୍ଦ ବାହାରିଥିଲା -'ବେଟେ କୋ ହାଥ ଲଗାନେ ସେ ପେହେଲେ ବାପ ସେ ବାତ କରୋ'। ସେହି ସମୟରେ ଏହା ଆମେ ଅନୁଭବ କଲୁ ଯେ ଏହା ସେହି ମୁହୂର୍ତ୍ତରେ କହିବା ପାଇଁ ଏହା ସଠିକ୍ ଲାଇନ୍ ଅଟେ । ଉଭୟ ଅଟଲି ଏବଂ ଶାହାରୁଖ ସାର୍ ଏହା ଠିକ୍ ବୋଲି ଅନୁଭବ କରିଥିଲେ ଏବଂ ସିନଟି ସୁଟିଂ କରାଯାଇଥିଲା ।