ହାଇଦ୍ରାବାଦ: ଶାହାରୁଖ ଖାନଙ୍କ 'ପଠାନ'ର କ୍ରେଜ ଏପର୍ଯ୍ୟନ୍ତ କମି ନଥିବା ବେଳେ ପୁଣି ଜବାନ ସହ ଧମାକା କରିବାକୁ ପ୍ରସ୍ତୁତ ହୋଇଛନ୍ତି ଶାହାରୁଖ। ଫିଲ୍ମର ପ୍ରିଭ୍ୟୁ ଦେଖିବା ପରଠୁ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ଫିଲ୍ମ ରିଲିଜକୁ ମାତ୍ର ଆଉ କିଛି ଦିନ ଥିବା ବେଳେ ଆଜି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ନିର୍ମାତା । ଟ୍ରେଲର ଲଞ୍ଚ୍ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ନେଟିଜେନ୍ସ ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଏହି 2 ମିନିଟ୍ 45 ସେକେଣ୍ଡ ଦମଦାର ଟ୍ରେଲରରେ ଭରପୁର ଆକ୍ସନ, ରୋମାନ୍ସ, ସସପେନ୍ସ, ଦେଶପ୍ରେମ ଏବଂ ଅନେକ ମହାନ ତାରକାଙ୍କ ଲୁକ୍ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଟ୍ରେଲରକୁ ପସନ୍ଦ କରାଯାଉଛି । ପ୍ରଶଂସକମାନେ ଟ୍ରେଲର ଥିବା ଏକ ଡାଇଲଗକୁ ନେଇ ମତ ଦେଇଛନ୍ତି । ଯାହାକୁ ସେମାନେ ସମୀର ୱାଙ୍ଖଡେଙ୍କ ସହ ଯୋଡିଛନ୍ତି।
ଟ୍ରେଲରରେ ଏକ ଡାଇଲଗ ଅଛି ଯେଉଁଥିରେ ଶାହାରୁଖ କହିଛନ୍ତି 'ବେଟେ କୋ ଛୁନେ ସେ ପେହେଲେ ବାପ୍ ସେ ବାତ୍ କର୍' ଏହାର ଅର୍ଥ 'ପୁଅକୁ ଛୁଇଁବା ପୂର୍ବରୁ ପିତାଙ୍କ ସହ କଥା ହୁଅ...'। ୟୁଜର୍ସ ଏହି ସଂଳାପକୁ ମୁମ୍ବାଇର ପୂର୍ବତନ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ସହ ଯୋଡିଛନ୍ତି। ଜଣେ ନେଟିଜେନ୍ସ ପ୍ରତିକ୍ରିୟା ଦେଇ କହିଛନ୍ତି, ସମୀର ୱାଙ୍ଖଡେଙ୍କୁ ଶାହାରୁଖ ଚେତାବନୀ ଦେଉଛନ୍ତି ? ସୂଚନା ଅନୁସାରେ, ସମୀର ୱାଙ୍ଖେଡେ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ ।