ହାଇଦ୍ରାବାଦ: ଚଳିତ ବର୍ଷ ପ୍ରଥମରେ ବଲିଉଡ କିଙ୍ଗଖାନ ଫିଲ୍ମ ପଠାନ ସହ ଦମଦାର ଓପନିଂ କରିଥିଲେ । ପ୍ରଥମ ଦିନରେ ଏହି ଫିଲ୍ମ ସାରା ବିଶ୍ବରେ 100କୋଟିରୁ ଅଧିକ ଆୟ କରିଥିବା ବେଳେ ମୋଟ 1000 କୋଟିରୁ ଅଧିକ ବ୍ୟବସାୟ କରି ରେକର୍ଡ ସୃଷ୍ଟି କରିଥିଲା। ବର୍ତ୍ତମାନ ଶାହାରୁଖ 2ୟ ଫିଲ୍ମ ଜବାନ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି । ଫିଲ୍ମ ସେପ୍ଟେମ୍ବର 7ରେ ରିଲିଜ ହେବାକୁ ଯାଉଛି। ଏବଂ ଫିଲ୍ମର ଅଗ୍ରୀମ ବୁକିଂ 1 ତାରିଖରୁ ଆରମ୍ଭ ହୋଇଯାଇଛି । 3 ଦିନ ମଧ୍ୟରେ ଭାରତରେ 5.77ଲକ୍ଷ ଟିକେଟ ବିକ୍ରି କରିସାରିଲାଣି । ଏହି ରେକର୍ଡ ଅନୁସାରେ ପଠାନ ପରି ଅଭିନେତାଙ୍କ ଏହି ଫିଲ୍ମ ମଧ୍ୟ 100 କୋଟି ସହ ଓପନିଂ କରିବ ବୋଲି କୁହାଯାଉଛି ।
ଜବାନର ଆଡଭାନ୍ସ ବୁକିଂ ସେପ୍ଟେମ୍ବର 1ରୁ ଆରମ୍ଭ ହୋଇସାରିଛି । ତେବେ 3 ଦିନ ମଧ୍ୟରେ ହିନ୍ଦୀ ସଂସ୍କରଣ ପାଇଁ ଆଡଭାନ୍ସ ବୁକିଂ 5,29,568 ଟିକେଟ ବିକ୍ରି କରିଥିବା ବେଳେ ଯାହାକି ମୋଟ 15.59 କୋଟି ଟଙ୍କା ହେବ । ଏହି ସମୟରେ ତାମିଲ ସଂସ୍କରଣ ପାଇଁ 19, 899 ଟିକେଟ ବିକ୍ରି ହୋଇଥିବା ବେଳେ ତେଲୁଗୁ ସଂସ୍କରଣ ପାଇଁ 16,230 ଟିକେଟ ବିକ୍ରି ହୋଇସାରିଛି । ତେବେ ଏହି ରେକର୍ଡ ଅନୁସାରେ ଭାରତରେ ଫିଲ୍ମର ମୋଟ ଆଡଭାନ୍ସ ବୁକିଂରେ 5,77,255 ଟିକେଟ ବିକ୍ରି କରିସାରିଲାଣି । ଏହି ଅନୁସାରେ ରିଲିଜ ପୂର୍ବରୁ ଫିଲ୍ମ ମୋଟ 16.93 କୋଟି ଟଙ୍କା ଆୟ କରିସାରିଲାଣି ।
ସେପଟେ ବିଦେଶ ବଜାରରେ ମଧ୍ୟ ଜବାନର କ୍ରେଜ ଦେଖିବାକୁ ମିଳିଛି । ଟ୍ରେଡ ଆନାଲିଷ୍ଟ ନିଶିତ ଶାଙ୍କ ଅନୁଯାୟୀ, ବ୍ରିଟେନରେ ଜବାନର ଆଡଭାନ୍ସ ବୁକିଂ ବିପୁଳ ବୃଦ୍ଧି ହୋଇଛି । ବର୍ତ୍ତମାନ ବ୍ରିଟେନରେ (£150K) ପାଖାପାଖି ଆଡଭାନ୍ସ ବୁକିଂ କରିଥିବା ବେଳେ ରିଲିଜ ଦିନ ଦମଦାର ଓପନିଂ ସହ ପଠାନକୁ ପଛରେ ପକାଇପାରେ ବୋଲି ସେ ମତ ରଖିଛନ୍ତି । ଏହି କ୍ରମରେ ଜବାନ ପ୍ରଥମ ଦିନରେ 100କୋଟି ସହ ଦମଦାର ଓପନିଂ କରିବା ସହ ପଠାନ ପରି ଶାହାରୁଖଙ୍କ ଏହି 2ୟ ଫିଲ୍ମ ଆଉ ଏକ ମାଇଲକୁଣ୍ଟ ଅତିକ୍ରମ କରିବ ବୋଲି କୁହାଯାଉଛି । ଏହିପରି ଭାବେ ଶାହାରୁଖ ପ୍ରଥମ ଭାରତୀୟ ଅଭିନେତା ହେବେ ଯିଏ 100କୋଟି ଓପନିଂର ସହ ଗୋଟିଏ ବର୍ଷରେ ଦୁଇ ଦୁଇଟି ଫିଲ୍ମ ସହ ରେକର୍ଡ ସୃଷ୍ଟି କରିବେ ।
ଏହା ମଧ୍ୟ ପଢନ୍ତୁ:'Ghatia baatein mat karo': ଟ୍ରୋଲରଙ୍କୁ କଡ୍ଡା ଜବାବ ଦେଲେ କିଙ୍ଗ ଖାନ
ସୂଚନା ଥାଉ କି, ଏହି ଫିଲ୍ମଟି ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଶାହାରୁଖଙ୍କ ସମେତ ସାଉଥ୍ ବିୟୁଟି ନୟନତାରାଙ୍କ ସହ ବିଜୟ ସେଥୁପତି ଏବଂ ସଂଜୟ ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୀପିକା ପାଦୁକୋନ ଏଥିରେ କ୍ୟାମିଓ ରୋଲରେ ନଜର ଆସିବେ । ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ଯେଉଁଥିରେ ଶାହାରୁଖ୍ଙ୍କ ଡବଲ ରୋଲ୍ ଦେଖିବାକୁ ମିଳିବ । ତେବେ ଅଟଲି, ନୟନତାରାଙ୍କ ସହ ବିଜୟ ସେଥୁପତିଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ଶାହାରୁଖ । ସେପ୍ଟେମ୍ବର 7ରେ ଏହି ଫିଲ୍ମ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।