ହାଇଦ୍ରାବାଦ:ଶ୍ରୀରାମଙ୍କ ପ୍ରେମରେ ପ୍ରଧାନମନ୍ତ୍ରୀ ମୋଦି । ସେୟାର କରୁଛନ୍ତି ଗୋଟିଏ ପରେ ଗୋଟିଏ କଣ୍ଠଶିଳ୍ପୀଙ୍କ'ରାମ ଭଜନ । ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାକୁ ନେଇ ସବୁଠି ଏବେ ଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଏହି ସମାରୋହରେ ଅନେକ ନେତାଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ସାମିଲ ହେବେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କଣ୍ଠଶିଳ୍ପୀମାନଙ୍କ ସୁନ୍ଦର ରାମ ଭଜନ ଗୀତକୁ ନିଜ ସୋସିଆଲ ମିଡିଆରେ ସେୟାର କରି ଖୁବ ପ୍ରଶଂସା କରିଛନ୍ତି । ମୋଦି ଗାୟକ ହଂସରାଜ ରଘୁବଂଶୀ ଏବଂ ଜୁବିନ ନୌଟିଆଲଙ୍କ ରାମ ଭଜନକୁ ସେୟାର କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଏପରି ଗୀତକୁ ସେୟାର କରିବା ନେଇ ବହୁତ ଭଲ ଲାଗୁଥିବା କହିଛନ୍ତି କଣ୍ଠଶିଳ୍ପୀ ।
ଏକ୍ସରେ ପ୍ରଧାନମନ୍ତ୍ରୀ ହଂସରାଜ ରଘୁବଂଶୀଙ୍କ 'ଜୟ ଶ୍ରୀ ରାମ' ଭଜନକୁ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ସ୍ବାଗତକୁ ନେଇ ସମଗ୍ର ଦେଶ ବେଶ୍ ଖୁସି । ଏହି ଶୁଭ ଦିନ ପାଇଁ ରାମଲାଲାଙ୍କ ଭକ୍ତିରେ ବୁଡି ରହିଥିବା ଭକ୍ତ ବିଭିନ୍ନ ପ୍ରକାରରେ ନିଜର ଭାବନାକୁ ପ୍ରକାଶ କରୁଛନ୍ତି । ଭଗବାନ ଶ୍ରୀରାମଙ୍କୁ ସମର୍ପିତ ଗାୟକ ହଂସରାଜ ରଘୁବଂଶୀଙ୍କ ଭଜନ ଶୁଣନ୍ତୁ ।
ସେହିପରି ବଲିଉଡ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଯିଏ କି ଅନେକ ବଲିଉଡ ଗୀତ ଏବଂ ଭଜନରେ ଲୋକଙ୍କ ମନ ଜିତିଛନ୍ତି । ମୋଦି ଗାୟକଙ୍କ 'ମେରେ ଘର ରାମ ଆଏ ହେ' ଭଜନ ମଧ୍ୟ ସେୟାର କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ହୋଇଛି । ରାମଲାଲାଙ୍କ ପ୍ରତି ଭକ୍ତିରେ ପରିପୂର୍ଣ୍ଣ ଜୁବିନ ନୌଟିଆଲ, ପାୟଲ ଦେବ ଏବଂ ମନୋଜ ମୁନ୍ଥାଶୀରଙ୍କ ଏହି ସ୍ବାଗତ ଭଜନ ବେଶ ହୃଦୟସ୍ପର୍ଶୀ ।