ହାଇଦ୍ରାବାଦ: ନଭେମ୍ବର ୧୯ରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଯାହା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଫାଇନାଲ୍ ମ୍ୟାଚକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, 'ଏଥର ବିଶ୍ବକପ୍ ଭାରତ ହିଁ ହାସଲ କରିବ ।'
ନଭେମ୍ବର ୧୫ରେ ଭାରତ ଏବଂ ନ୍ୟଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ମ୍ୟାଚ୍ରେ ଭାରତ ବାଜି ମାରି ଫାଇନାଲରେ ପହଞ୍ଚିଥିଲା । ତେବେ ଏହି ସମୟରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ରଜନୀକାନ୍ତ ମଧ୍ୟ ସାମିଲ ହୋଇଥିଲେ । ବର୍ତ୍ତମାନ ରଜନୀକାନ୍ତ ଫାଇନାଲ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ପିଟିଆଇ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ କହିଛନ୍ତି, 'ସେମିଫାଇନାଲରେ ପ୍ରଥମେ ମୁଁ ବିବ୍ରତ ଅନୁଭବ କଲି, କିନ୍ତୁ ପରେ ଯେତେବେଳେ ୱିକେଟ୍ ହ୍ରାସ ପାଇଥିଲା, ସବୁକିଛି ଠିକ ହୋଇଗଲା । ମୁଁ ଦେଢ ଘଣ୍ଟା ଯାଏଁ ବହୁତ ନର୍ଭସ ଥିଲି, କିନ୍ତୁ ମୁଁ ୧୦୦% ନିଶ୍ଚିତ ଯେ ବିଶ୍ୱକପ୍ ଆମର ହେବ । ସେ କହିଛନ୍ତି, ଏବେ ମାତ୍ର ୧୯ ନଭେମ୍ବର ରବିବାରକୁ ଅପେକ୍ଷା ।