ହାଇଦ୍ରାବାଦ: ହିନ୍ଦୀ ସିନେମାର 3 ବଡ ସୁପରଷ୍ଟାରଙ୍କ ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ବିଜ୍ଞାପନରେ ଶାହାରୁଖ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାର ଏକାଠି ଆସିଥିବାରୁ ସେମାନଙ୍କର ଯେତିକି ପ୍ରଶଂସା ହେଉନି ତା'ଠୁ ଅଧିକା ତିନି ଜଣଙ୍କର ସମାଲୋଚନା କରାଯାଉଛି । ଏଥିରେ ସବୁଠାରୁ ଅଧିକା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅକ୍ଷୟ କୁମାର ।
ଏହି ମାମଲାରେ ଟ୍ରୋଲର୍ସ ବି କମ୍ ନୁହଁନ୍ତି । ବର୍ତ୍ତମାନ ଟ୍ରୋଲର୍ସ ସେମାନଙ୍କର ପୁରୁଣା ଭିଡିଓଗୁଡିକୁ ସେୟାର କରୁଛନ୍ତି ଏବଂ ସେମାନଙ୍କୁ ପୁଣି ମନେ ପକାଇ ଦେଇଛନ୍ତି ଯେ, ପାନ୍ ମସାଲା କମ୍ପାନୀ ପାଇଁ ସେମାନେ ବିଜ୍ଞାପନ କେବେ ନକରିବା କଥା କହିଥିଲେ । ଉଲ୍ଲେଖନୀୟ ଯେ, କିଛି ବର୍ଷ ପୂର୍ବରୁ ଅକ୍ଷୟ କୁମାର ନିଜେ, ସ୍ବାସ୍ଥ୍ୟ ପ୍ରତି ହାନିକାରକ କୌଣସି ଜିନିଷକୁ ନେଇ ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ । ଯେତେ ଟଙ୍କା ମିଳିଲେ ବି ଜନତାଙ୍କ ସ୍ବାସ୍ଥ୍ୟ ହିଁ ସର୍ବୋପରି ବୋଲି କହିଥିଲେ । ତେବେ ଯଦିଓ ଅକ୍ଷୟ କୁମାର ଏଥିପାଇଁ କ୍ଷମା ମାଗି ସାରିଛନ୍ତି ଏବଂ ଭବିଷ୍ୟତରେ ଏପରି ବିଜ୍ଞାପନ ନକରିବା ବିଷୟରେ ମଧ୍ୟ କହିଛନ୍ତି, କିନ୍ତୁ ଏହା ସତ୍ତ୍ବେ ବି ଟ୍ରୋଲର୍ସ ତାଙ୍କୁ ଛାଡିବା ମୁଡରେ ନାହାନ୍ତି । ଏହି ସମୟରେ ଅଜୟ ଦେବଗନ ଏହି ସମଗ୍ର ବିବାଦ ଉପରେ ନିଜର ମତ ରଖିଛନ୍ତି ।
ଅଜୟ ଏକ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, କୌଣସି ଜିନିଷର ବିଜ୍ଞାପନ କରିବା କାହାର ବ୍ୟକ୍ତିଗତ ବିଷୟ ଅଟେ । ତେଣୁ ସମସ୍ତେ ମାନସିକ ଭାବେ ଏତେ ପରିପକ୍ବ ଯେ ନିଜ ନିଜର ନିଷ୍ପତ୍ତି ନେଇପାରିବେ । କିଛି ଦ୍ରବ୍ୟ ରହିଛି ଯାହାକି ଶରୀର ପାଇଁ କ୍ଷତିକାରକ ଏବଂ କିଛି ଶରୀର ପାଇଁ ଲାଭଦାୟକ ହୋଇଥାଏ । ମୁଁ ଇଲାଇଚିର ବିଜ୍ଞାପନ କରୁଛି । ଅଜୟଙ୍କ କହିବା ଅନୁଯାୟୀ, ଯେଉଁ ଜିନିଷଗୁଡ଼ିକ କ୍ଷତି ପହଞ୍ଚାଉଛି ତାହାକୁ ବିକ୍ରି କରାଯିବା ଉଚିତ ନୁହେଁ ।