ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ଆଜି ବି ସମସ୍ତେ ଦିୱାନା । କେବଳ ଦେଶରେ ନୁହଁ ବରଂ ସାରା ବିଶ୍ବରେ ଶାହାରୁଖଙ୍କ ଫ୍ୟାନ୍ସ ରହିଛନ୍ତି । ତାଙ୍କ ଫିଲ୍ମ ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । କିଙ୍ଗ୍ ଖାନ ପ୍ରାୟ ତିନି ଦଶନ୍ଧି ଧରି ବଲିଉଡରେ ନିଜ ଜଲୱା ଦେଖାଇ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ପଠାନ ଏହା ପ୍ରମାଣିତ କରିଥିଲା ଯେ, ସେ ଆଜି ବି ବଲିଉଡର ବାଦଶାହା ଅଟନ୍ତି । ତେବେ ବର୍ତ୍ତମାନ ଶାହାରୁଖଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । 31 ବର୍ଷ ପୂର୍ବରୁ ହିଁ ଶାହାରୁଖ ଭବିଷ୍ୟତରେ ଜଣେ ସୁପରଷ୍ଟାର ହେବେ ବୋଲି ଭବିଷ୍ୟବାଣୀ ହୋଇଯାଇଥିଲା । ଏକ ସାକ୍ଷାତକାରରେ ଶାହାରୁଖଙ୍କୁ ନେଇ ଏହି ଖୁଲାସା କରିଛନ୍ତି ଡ୍ରିମଗାର୍ଲ ହେମା ମାଳିନୀ ।
ନିକଟରେ ଏକ ସାକ୍ଷାତକାରରେ ହେମା ମାଳିନୀ ସେହି ସମୟକୁ ମନେ ପକାଇଥିଲେ ଯେତେବେଳେ ସେ ତାଙ୍କ ଚଳଚ୍ଚିତ୍ର 'ଦିଲ୍ ଆଶ୍ନା ହେ' ପାଇଁ ନବାଗତ ନାୟକ ଭାବରେ ଶାହାରୁଖ ଖାନ୍ଙ୍କୁ ସାଇନ କରିଥିଲେ । ହେମା ମାଳିନୀ କହିଛନ୍ତି ଯେ ତାଙ୍କ ଗୁରୁ ମା' ଏକ ସମୟରେ ଶାହାରୁଖ ଖାନଙ୍କ ବିଷୟରେ ଭବିଷ୍ୟବାଣୀ କରି କହିଥିଲେ ଯେ, ଦିନେ ଏହି ବାଳକ ଏକ ବଡ଼ ସୁପରଷ୍ଟାର ହେବ । ସୂଚନା ଥାଉ କି, 1992 ମସିହାରେ ଶାହାରୁଖଙ୍କ 4ଟି ଚଳଚ୍ଚିତ୍ର ରିଲିଜ କରିଥିଲା । ଏଥିମଧ୍ୟରେ 'ଦିଲ ଆଶ୍ନା ହେ' ରହିଥିଲା । ଯାହାର ନିର୍ମାତା ତଥା ନିର୍ଦ୍ଦେଶକ ହେମା ମାଳିନୀ ଥିଲେ । ବଲିଉଡରେ ଶାହାରୁଖଙ୍କ ସେହି ବର୍ଷ ପ୍ରଥମ ବର୍ଷ ସହ 'ଦିଲ ଆଶ୍ନା ହେ' ପ୍ରଥମ ପ୍ରୋଜେକ୍ଟ ଥିଲା ।