ହାଇଦ୍ରାବାଦ:୩୩ ବର୍ଷ ପରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ସାଉଥ ମେଗାଷ୍ଟାର ରଜନୀକାନ୍ତ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ଥଲାଇୱର୍ 170ରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ରଜନୀକାନ୍ତ ବିଗ ବିଙ୍କ ସହ ଫିଲ୍ମ ସେଟରୁ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏହି ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଛି ।
ରଜନୀକାନ୍ତ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ବିଗ ବିଙ୍କ ସହ କାମ କରିବା ନେଇ ଖୁସି ଜାହିର କରିଛନ୍ତି । ଏହି ପୋଷ୍ଟରରେ ରଜନୀକାନ୍ତ ଅମିତାଭଙ୍କ ସହ ନଜର ଆସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ୩୩ ବର୍ଷ ପରେ, ମୁଁ ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଥଲାଇୱର୍ 170ରେ ନିଜ ପରାମର୍ଶଦାତା ଅମିତାଭ ବଚ୍ଚନଙ୍କ ସହ କାମ କରୁଛି । ମୁଁ ଏନେଇ ବହୁତ ଖୁସି ଅନୁଭବ କରୁଛି । ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଫିଲ୍ମକୁ ନେଇ ଉତ୍ସାହିତ ଥିବା କହିଛନ୍ତି ।