ମୁମ୍ବାଇ: ପ୍ରଶାନ୍ତ ବର୍ମାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ହନୁମାନ' ପ୍ରେକ୍ଷାଳୟରେ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ସୋସିଆଲ ମିଡିଆରେ ତାହା ଖୁବ ଭାଇରାଲ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତା ତେଜା ସଜ୍ଜା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏହାରି ମଧ୍ୟରେ ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ନେଇ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି ଯେ, କୌଣସି କାହାଣୀର ଗ୍ଲୋବାଲ ଅପିଲ ପାଇଁ ଏହା ଜରୁରୀ ଯେ ନିଜ ସଂସ୍କୃତି ସହ ଜଡିତ ରହିବା । ଆଉ ଲୋକଙ୍କ ଜୀବନକୁ ପରଦାରେ ଆଣିବା ପାଇଁ ସେମାନଙ୍କ ସହ ଯୋଡି ହୋଇ ରହିବା ।
ନିର୍ଦ୍ଦେଶକ ଫିଲ୍ମ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଡିଆ ସହିତ କଥା ହୋଇଥିଲେ । ଯେଉଁଥିରେ ତେଲୁଗୁ ସୁପରଷ୍ଟାର ରାଣା ଦଗୁବାତି ମଧ୍ୟ ସାମିଲ ହୋଇଥିଲେ । ପ୍ରଶାନ୍ତ ମିଡିଆକୁ କହିଛନ୍ତି ଯେ, ବିଶ୍ବର ଦର୍ଶକ ପୂର୍ବରୁ ମାର୍ବଲ ଓ ଡିସିର ସୁପର ହିରୋଙ୍କୁ ଦେଖିଛନ୍ତି । ତେଣୁ ଦର୍ଶକଙ୍କ ପାଇଁ ନୂଆ ସୁପର ହିରୋ ଆଣିବା ପାଇଁ ଆପଣଙ୍କୁ ଗ୍ଲୋବାଲ ହେବାକୁ ହେଲେ ପ୍ରଥମେ ଲୋକାଲ ହେବାକୁ ପଡିବ । 'ଆରଆରଆର'ର ସଫଳତା ଏହାର ସବୁଠୁ ବଡ ଉଦାହରଣ ବୋଲି ସେ କହିଛନ୍ତି ।