ହାଇଦ୍ରାବାଦ:ଗତ କିଛି ଦିନ ଧରି ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ବୟକଟ୍ ମାଳଦ୍ବୀପ ଟ୍ରେଣ୍ଡ କରିୁଛି । ଏଥିସହ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମାଳଦ୍ବୀପର ମନ୍ତ୍ରୀମାନଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଭାରତୀୟ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ବ ଦେଇ ପ୍ରୋତ୍ସାହିତ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିର ୟୁନିଅନ ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (Fwice) ଏକ ବଡ ନିଷ୍ପତ୍ତି ନେଇଛି । Fwice ଏକ ପ୍ରେସ ରିଲିଜ ଜାରି କରି ଫିଲ୍ମ ନିର୍ମାତାଙ୍କୁ ମାଳଦ୍ବୀପରେ ଫିଲ୍ମ ସୁଟିଂ ବାତିଲ କରି ଭାରତୀୟ ସ୍ଥାନଗୁଡିକରେ ସୁଟିଂ କରିବାକୁ ନିବେଦନ କରିଛି ।
Fwice ଜାନୁଆରୀ ୧୦ ତାରିଖରେ ଏକ ପ୍ରେସ ରିଲିଜ ଜାରି କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ମାଳଦ୍ବୀପର ନେତାମାନେ ଅପମାନଜମନକ ମନ୍ତବ୍ୟ ଦେବା ଘଟଣାକୁ ବିରୋଧ କରିବା ସହ କଡ଼ା ନିନ୍ଦା କରି Fwice ଏହି ପ୍ରେସ ରିଲିଜ ଜାରି କରିଛି । ଏଥିସହ ମାଳଦ୍ବୀପକୁ ବୟକଟ୍ କରିବାକୁ ମଧ୍ୟ ନିଷ୍ପତି ନେଇଛି । ଏଥିରେ ଲେଖାଯାଇଛି ଯେ, ଭାରତ ଏବଂ ମାଳଦ୍ବୀପ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ମିଡିଆ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ କାମ କରୁଥିବା ନିର୍ମାତା, ଟେକ୍ନିସିଆନ ଏବଂ କଳାକାରମାନଙ୍କୁ ପରାମର୍ଶ ଏବଂ ନିବେଦନ କରୁଛୁ ଯେ, ମାଳଦ୍ବୀପରେ ଫିଲ୍ମ ସୁଟିଂ ବାତିଲ କରି ଭାରତୀୟ ସ୍ଥାନଗୁଡିକରେ ସୁଟିଂ କରନ୍ତୁ ।