ଭୁବନେଶ୍ବର: ଆଜି ହେଉଛି ଡାଉନସିଣ୍ଡ୍ରମ ଦିବସ । ଯେଉଁମାନେ ଅକ୍ଷମ ବା ଦିବ୍ୟାଙ୍ଗ, ସେମାନଙ୍କ ବିଷୟରେ କିଛି ଅପଶବ୍ଦ ବ୍ୟବହାର ନକରି ଓ କୌଣସି ଘୃଣାଭାବ ନରଖି ସେମାନଙ୍କ ସହ ଉତ୍ତମ ଆଚରଣ କରି ଭଲ ଭାବରେ ସେମାନଙ୍କ ସହ କଥା ହେବାର ସଚେତନତାକୁ ନେଇ ଡାଉନସିଣ୍ଡ୍ରମ ଦିବସ ପାଳନ କରାଯାଇଥାଏ । ଏହି ଦିବସ ଅବସରରେ ଫ୍ଲୋ-ଧ୍ୱନିର ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବର ନବମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ସାମାଜିକ ଅନୁଷ୍ଠାନ ଆଇନା ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ କରିଥିବାବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହାର ଉଦ୍ଘାଟନ କରିଛନ୍ତି । ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ଏହି ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଉଦ୍ଘାଟିତ ହୋଇଥିବା ବେଳେ ଏହା ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି ।
ଏହି ଦିବସରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ମାନଙ୍କ ସମ୍ବନ୍ଧରେ ସଚେତନତା ଓ ସେମାନଙ୍କର ସକ୍ଷମତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ଜୋନର ଭିନ୍ନକ୍ଷମ ପ୍ରାମାଣିକ ଚଳଚ୍ଚିତ୍ର ଧ୍ୱନିର ଏହି ଚଳଚ୍ଚିତ୍ର ଉତ୍ସବରେ ସ୍କ୍ରିନିଂ ହୋଇଛି । ଚଳିତ ଥର ୪୦ଟି ଚଳଚ୍ଚିତ୍ର ସ୍କ୍ରିନିଂର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ୨୨ଟି ନୂଆ ଚଳଚ୍ଚିତ୍ର ସ୍ଥାନ ପାଇଛି । ଏଥିରେ ରାଜ୍ୟ ଓ ଦେଶ ସମେତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମଧ୍ୟ ସାମିଲ ହୋଇଛି । ସିନେମାର ସ୍କ୍ରିନିଂ ସହ ସେମାନଙ୍କ ଭିତରେ ପ୍ରତିଯୋଗିତା ହେବ । ଯେଉଁମାନଙ୍କର ସିନେମା ଶ୍ରେଷ୍ଠ ବିବେଚିତ ହେବ, ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଆଇନାର ପ୍ରତିଷ୍ଠାତା ସ୍ନେହା ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ଯଦି ଆମେ ଭିନ୍ନକ୍ଷମଙ୍କ ସହ କଥା ହେବା, ତେବେ ଆଉ ଟିକେ ସଚେତନତା ବଢିବ ଆଉ ସେମାନଙ୍କ ଅଧିକାର ସମ୍ବନ୍ଧରେ ସେମାନେ ଜାଣିପାରିବେ । ତେଣୁ ସମାଜରେ ଏଭଳି ଉତ୍ସବର ଆବଶ୍ୟକତା ରହିଛି ।"