ହାଇଦ୍ରାବାଦ: ଫେମିନା ମିସ୍ ଇଣ୍ଡିଆ 2023ର ବିଜେତା ଘୋଷଣା ହୋଇଛି । ଫେମିନା ମିସ୍ ଇଣ୍ଡିଆ ଟାଇଟଲକୁ ନିଜ ନାଁରେ କରିଛନ୍ତି ନନ୍ଦିନୀ ଗୁପ୍ତା । ଶନିବାର ଏକ ଗ୍ରାଣ୍ଡ ଇଭେଣ୍ଟରେ ଫେମିନା ମିସ୍ ଇଣ୍ଡିଆ 2023ର ବିଜେତା ଘୋଷଣା କରାଯାଇଥିଲା । ଏହି ଅବସରରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ଦେଶର 59 ତମ ମିସ୍ ଇଣ୍ଡିଆ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି । ତେବେ ଏହି ବିଶେଷ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ନନ୍ଦିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ମାତ୍ର 19 ବର୍ଷୀୟ ନନ୍ଦିନୀ ଗୁପ୍ତା ମିସ୍ ଇଣ୍ଡିଆ ଟାଇଟଲ୍ ଜିତି ନିଜ ରାଜ୍ୟ ରାଜସ୍ଥାନ ପାଇଁ ଗୌରବ ଆଣିଛନ୍ତି ।
ଏହି ବିଶେଷ ଅବସରରେ ନନ୍ଦିନୀ ଏକ କଳା ଗାଉନ ସହ ଖୁବ ଗର୍ଜିୟସ ଲୁକରେ ନଜର ଆସିଥିଲେ । ଏବଂ ନିଜ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ଦିୱାନା ମଧ୍ୟ କରିଥିଲେ । ତେବେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ମିସ୍ ଇଣ୍ଡିଆର ବିଜେତା ମୁକୁଟ ପିନ୍ଧିଥିବା ବେଳେ ଦିଲ୍ଲୀର ଶ୍ରେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ହୋଇଥିଲେ ଏବଂ ମଣିପୁରର ଥୌନାଓଜାମ ଷ୍ଟ୍ରେଲା ଲୁୱାଙ୍ଗ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି ।
ଦେଶର ବିଭିନ୍ନ ସ୍ଥାନରୁ ଝିଅମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ହାତେଇଛନ୍ତି ନନ୍ଦିନୀ ଗୁପ୍ତା । ଏତେ କମ୍ ବୟସରେ ମିସ୍ ମୁକୁଟ ପିନ୍ଧିବାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମିସ୍ ଇଣ୍ଡିଆ ହେବା ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡର ପରବର୍ତ୍ତୀ ସିଜନରେ ଦେଶର ପ୍ରତିନିଧିତ୍ବ କରିବେ । ତେବେ ନନ୍ଦିନୀଙ୍କର ଏହି ସଫଳତା ପାଇଁ ସବୁଠୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ନନ୍ଦିନୀଙ୍କ ବିଷୟରେ କହିବାକୁ ଗଲେ, ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ସହରର ବାସିନ୍ଦା ଅଟନ୍ତି । ଏବଂ ନନ୍ଦିନୀ ପୂର୍ବରୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ । ଏବଂ କେବଳ ମଡେଲିଂ ନୁହଁ ବରଂ ପଢା କ୍ଷେତ୍ରରେ ମଧ୍ୟ ସେ ବେଶ ସ୍ମାର୍ଟ ଅଟନ୍ତି । ସେ ସନ୍ଥ ପୋଲ୍ ସିନିୟର ସେକେଣ୍ଡାରୀ ସ୍କୁଲରୁ ତାଙ୍କର ପାଠପଢା ସମାପ୍ତ କରିଛନ୍ତି ଏବଂ ବର୍ତ୍ତମାନ ଲାଲା ଲାଜପତ ରୟ କଲେଜରୁ ବିଜିନେସ ମ୍ୟାନେଜମେଣ୍ଟ ପଢୁଛନ୍ତି । ଯେତେବେଳେ ତାଙ୍କୁ ମାତ୍ର 10 ବର୍ଷ ହୋଇଥିଲା, ସେତେବେଳେ ସେ ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ପାଇବାକୁ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ । ଏହି ମୁକୁଟକୁ ନିଜ ନାଁ କରିବା ପାଇଁ ନନ୍ଦିନୀ ବହୁ କଠିନ ପରିଶ୍ରମ କରିଥିବା କହିଛନ୍ତି । ଏହି ସ୍ବପ୍ନକୁ ପୂରଣ କରି ସେ ଆଜି ଶୀର୍ଷରେ ପହଞ୍ଚି ସଫଳତା ହାସଲ କରିପାରିଛନ୍ତି ।