ମୁମ୍ବାଇ: ପଠାନ ଓ ଜୱାନର ଦମଦାର ସଫଳତା ପରେ ଏବେ ବଡ଼ ପରଦାକୁ ଆସିବାକୁ ଯାଉଛି କିଙ୍ଗ୍ ଖାନଙ୍କ ଫିଲ୍ମ ଡଙ୍କି । ରାଜକୁମାର ହୀରାନିଙ୍କ ନିର୍ଦ୍ଦେଶିତ ଫିଲ୍ମ ଡଙ୍କିର ଟିଜର ଓ ଟ୍ରେଲର ପାଇଁ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶାହାରୁଖଙ୍କ ସହ ରାଜକୁମାର ହୀରାନିଙ୍କ ଏହା ପ୍ରଥମ ଫିଲ୍ମ । ଏହି ବର୍ଷ ବାଦଶାହା ଶାହାରୁଖଙ୍କ ଦୁଇଟି ଫିଲ୍ମ ବକ୍ସ ଅଫିସରେ 1000 କୋଟି ପାର କରି ନୂଆ ରେକର୍ଡ ସୃଷ୍ଟି କରିଛି । ଦୁଇ ଦୁଇଟି ବ୍ଲକବଷ୍ଟର ଫିଲ୍ମ ପରେ ଡଙ୍କି ଫିଲ୍ମକୁ ନେଇ ଫ୍ୟାନ୍ସ ଓ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଫିଲ୍ମ ‘ଡଙ୍କି’ ଜୱାନ କି ପଠାନ ପରି ବ୍ଲକବଷ୍ଟର ହବ କି ନାହିଁ ସେନେଇ ସୋସିଆଲ ମିଡିଆ ସାଇଟରେ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲେଣି । ଏହାରି ମଧ୍ୟରେ ଡଙ୍କିର ଟିଜର ରିଲିଜ କୁ ନେଇ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ‘ଡଙ୍କି’ର ଟିଜର ଶାହାରୁଖ ଖାନଙ୍କ ଜନ୍ମଦିନରେ ରିଲିଜ ହେବାକୁ ଯାଇଛି । ଏହି ଖବର ପରେ ସୋସିଆଲ ସାଇଟରେ ଡଙ୍କି ଫିଲ୍ମକୁ ନେଇ ଗସିପିଂ ଆରମ୍ଭ ହୋଇଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନଭେମ୍ବର 2ରେ ଶାହାରୁଖ ଖାନଙ୍କ ଜନ୍ମଦିନରେ 'ଡଙ୍କି'ର ଟିଜର ରିଲିଜ ହେବ । ଏହା ଶାହାରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ରାଜକୁମାର ହୀରାନିଙ୍କ ଏକ ଉପହାର ହେବ । ଶାହାରୁଖ ମୁମ୍ବାଇରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଜନ୍ମଦିନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହି କର୍ଯ୍ୟକ୍ରମରେ ସେ ଏବଂ ତାଙ୍କ ଫ୍ୟାନ୍ସ ଏକାଠି ‘ଡଙ୍କି’ର ଟିଜର ଦେଖି ଜନ୍ମଦିନ ସେଲିବ୍ରେଟ୍ କରିବେ । ଟିଜରକୁ ସିବିଏଫସି (ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍)ରୁ ଏକ 'U' ସାର୍ଟିଫିକେଟ୍ ମିଳିଛି ।