ମୁମ୍ବାଇ:ଜାରି ରହିଛି ପ୍ରେମ ସପ୍ତାହ । ମନର ମଣିଷ ସହ ଖୁସି ବାଣ୍ଟୁଛନ୍ତି ପ୍ରେମୀଯୁଗଳ । ଏହାରି ଭିତରେ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରେମ ସପ୍ତାହ ଅବସରରେ ପୁଣିଥରେ ପ୍ରେକ୍ଷାଳୟରେ ରିଲିଜ ହେବ ୨୭ ବର୍ଷର ପୁରୁଣା ଚଳଚ୍ଚିତ୍ର ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ । ଏନେଇ ୟଶ ରାଜ ଫିଲ୍ମ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି । ଏହି ଫିଲ୍ମ ହିଁ ଶାହରୁଖ ଖାନ ଏବଂ କାଜଲକୁ ସୁପରହିଟ କରାଇଥିଲା ।
କହିରଖୁଛୁ ଯେ, ଆଜି ବି ପ୍ରେମର ଉଦାହରଣ କଥା ଆସିଲେ ରାଜ-ସିମରନଙ୍କ ପ୍ରେମ କାହାଣୀର ଉଦାହରଣ ଦିଆଯାଇଥାଏ । 1995 ରେ ମୁକ୍ତିଲାଭ କରିଥିଲା ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ । ଗତ ଅକ୍ଟୋବର ୨୦ ତାରିଖରେ ଏହାକୁ ୨୭ ବର୍ଷ ପୂର୍ତ୍ତି ହୋଇଛି । ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେଥିମଧ୍ୟରୁ ଦିଲଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ସବୁଠାରୁ ଲୋକପ୍ରିୟ । ଏହି ଯୋଡିକୁ ବଲିଉଡର ସବୁଠାରୁ ଶାନଦାର ଏବଂ ସ୍ମରଣୀୟ ଯୋଡିଙ୍କ ମଧ୍ୟରେ ଗଣାଯାଏ ।
ଏହା ମଧ୍ୟ ପଢନ୍ତୁ: The Kashmir Files: ଅଭିନେତା ପ୍ରକାଶ ରାଜଙ୍କୁ ଅର୍ବାନ ନକ୍ସଲ ଓ ଅନ୍ଧକାର ରାଜ କହିଲେ ବିବେକ ଅଗ୍ନିହୋତ୍ରୀ
ଏନେଇ ୟଶରାଜ ଫିଲ୍ମର ବିତରଣ ଉପସଭାପତି ରହୋନ ମାଲହୋତ୍ରା କହିଛନ୍ତି," ଦେଶର ପ୍ରେକ୍ଷାଳୟରେ ସବୁଠାରୁ ଅଧିକ ସମୟ ଯାଏଁ ଚାଲିଥିବା ଫିଲ୍ମ ହେଇଛି ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ । ମୁକ୍ତିଲାଭ କରିବା ପରଠାରୁ ଦେଶରେ ପୀଢିପୀଢିଙ୍କ ରୋମାନ୍ସର ଉଦାହରଣ ପାଲଟିଛି । ଚଳିତ ବର୍ଷ ଭାଲାଣ୍ଟାଇନ ଡେକୁ ଆହରୁ ସାନ୍ଦାର କରିବା ପାଇଁ ରିଲିଜ ହେବାକୁ ଯାଉଛି ଦିଲଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ । ପରିବାର ବନ୍ଧୁମାନଙ୍କ ସହ ମିଶି ଏହି ଫିଲ୍ମ ଦେଖିପାରିବେ । ଫେବୃଆରୀ ୧୦ରୁ ସାରା ଭାରତରେ DDLJ କେବଳ ଗୋଟିଏ ସପ୍ତାହ ପାଇଁ ସ୍କ୍ରିନ କରାଯିବ । "
୧୯୯୫ ମସିହାର ଏହି ଫିଲ୍ମ ଭାରତର ମୁମ୍ବାଇ, ପୁଣେ, ଅହମ୍ମଦାବାଦ, ସୁରଟ, ଭୋଦଦରା, ଗୁରଗ୍ରାମ, ନୋଏଡା, ଫରିଦାବାଦ, ଲକ୍ଷ୍ନୌ, ଡେରାଡୁନ. ଦିଲ୍ଲୀ, ଚଣ୍ଡୀଗଡ, କୋଲକାତା, ଗୌହାଟୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଇନ୍ଦୋର, ଚେନ୍ନାଇ, ଭେଲୋର ଏବଂ ତ୍ରିବେନ୍ଦମରେ ରିଲିଜ ହେବ ।
ବ୍ଲକବଷ୍ଟର ଥିବା ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ ଚଳଚ୍ଚିତ୍ରଟି 10 ଟି ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା । ଏହି ଚଳଚ୍ଚିତ୍ରର ସଫଳତା ଶାହାରୁଖଙ୍କ କ୍ୟାରିଅରରେ ଚାର ଚାନ୍ଦ ଲଗାଇଦେଇଥିଲା । ହିନ୍ଦୀ ସିନେମାର ଅନ୍ୟତମ ସଫଳ ଚଳଚ୍ଚିତ୍ର ଭାବରେ ପରିଗଣିତ ହେଉଥିବା 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ'ର ନାମ କୌଣସି ବି ସିନେମା ହଲରେ ଦୀର୍ଘ ସମୟ ଧରି ଚାଲିଥିବା ରେକର୍ଡ ରଖିଛି। ଏହି ଚଳଚ୍ଚିତ୍ରଟି ମରାଠା ମନ୍ଦିରରେ 700 ସପ୍ତାହ ଧରି ଚାଲିଥିଲା । ତା’ପରେ 'ଦିଲୱାଲେ ଦୁଲହନୀୟା ଲେ ଜାଏଙ୍ଗେ'ର 20 ବର୍ଷ ସମାପ୍ତ ହେବା ପରେ ଏହାକୁ ପୁନଃସ୍ଥାପିତ କରାଯାଇଥିଲା ଏବଂ ଆଜି ମଧ୍ୟ ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ