ମୁମ୍ବାଇ:ବଲିଉଡ ଫିଲ୍ମ ନିର୍ମାତା ବୋନି କପୁର 27ତମ ବିବାହ ବାର୍ଷିକୀ ଅବସରରେ ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ବିବାହ ବାର୍ଷିକୀ ଅବସରରେ ବୋନି କପୁର ଶ୍ରୀଦେବୀଙ୍କ ସହ ଏକ ଫଟୋ ସେୟାର କରି ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି । ୧୯୯୬ ଜୁନ୍ ୨ରେ ଶ୍ରୀଦେବୀ ଏବଂ ବୋନି କପୁର ପରସ୍ପରକୁ ବିବାହ କରିଥିଲେ । ଏହି ଦିନରେ ଦୁହେଁ ପରସ୍ପରର ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ । କିନ୍ତୁ ଆଜି ଶ୍ରୀଦେବୀ ଏହି ବିଶେଷ ଦିନ ପାଳନ କରିବାକୁ ବୋନିଙ୍କ ସହ ନାହାଁନ୍ତି । ହେଲେ ତାଙ୍କ ସ୍ମୃତି ଆଜି ବି ବୋନିଙ୍କ ମନରେ ଘର କରି ରହିଛି ।
ବୋନି ନିଜ ଇନ୍ଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଫଟୋରେ, ବୋନି ଏବଂ ଶ୍ରୀଦେବୀ ଭେନସ୍ରେ ଏକ ଡଙ୍ଗାରେ ଉଭୟ ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସହ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇ ଚଳଚ୍ଚିତ୍ର ନିର୍ମାତା ଲେଖିଛନ୍ତି ଯେ '୧୯୯୬ ଜୁନ୍ ୨ରେ ଆମେ ଶିରିଡିରେ ବିବାହ କରିଥିଲୁ । ଆଜି ଆମେ ୨୭ ବର୍ଷ ପୂରଣ କରିଛୁ । ସେପଟେ ପ୍ରଶଂସକମାନେ ବୋନିଙ୍କ ଏହି ଫଟୋକୁ ଲାଇକ କରିବା ସହ ଲାଲ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି ।
ଏଥିସହ ବୋନି ଏକ ମନ୍ଦିର ପରିସରରୁ ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କ୍ୟାପସନ୍ ଦିଆଯାଇଛି ଯେ, "ଆମେ ଆମର ବିବାହର 27 ବର୍ଷ ପୂରଣ କରିଛୁ।" ସେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଉଭୟ ପାରମ୍ପରିକ ପୋଷାକ ପିନ୍ଧିଥିବା ବେଳେ ଶ୍ରୀଦେବୀ ପିଙ୍କ୍ ରଙ୍ଗର ଶାଢୀ ଏବଂ ବୋନି ହ୍ବାଇଟ ଧୋତି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ବଲିଉଡ ଅଭିନେତ୍ରୀ ତଥା ବୋନିଙ୍କ ଝିଅ ଜାହ୍ନବୀ କପୁର ଏବଂ ତାଙ୍କ ସାନ ଭଉଣୀ ଖୁସି କପୁର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପିତାମାତାଙ୍କ ବିବାହ ବାର୍ଷିକୀ ପାଳନ ନେଇ ଷ୍ଟୋରୀରେ ସମାନ ଫଟୋ ସେୟାର କରିଥିଲେ । ତେବେ ବୋନିଙ୍କ ପୋଷ୍ଟ ଉପରେ ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ସେ ସବୁବେଳେ ଆପଣଙ୍କ ସହ ଅଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ରକୃତରେ ସେ ଭଗବାନଙ୍କ ଉପହାର ।