ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଆଶ୍ବସ୍ତି । 2019ରେ ସଲମାନ ଖାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଖାରଜ । ଅଭିଯୋଗକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ସଲମାନ ଖାନ୍ଙ୍କୁ ଅନ୍ଧେରି କୋର୍ଟରେ ହାଜର ହେବାକୁ ପଡ଼ିବ ନାହିଁ।
ଜଣେ ସାମ୍ବାଦିକ ତାଙ୍କ ଉପରେ ଆକ୍ରମଣ ତଥା ଅସଦାଚରଣ ହୋଇଥିବା ନେଇ ସଲମାନ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସଲମାନଙ୍କ ବିରୋଧରେ ଏକ ମାମଲା ଦାଖଲ କରିଥିଲେ । ତେବେ ଆଜି ଏହି ମାମଲାର ଶୁଣାଣି କରି ଅଭିଯୋଗକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହା ମଧ୍ୟ କହିଛନ୍ତି ଯେ ସଲମାନ ଖାନଙ୍କୁ ଆଉ ଅନ୍ଧେରି କୋର୍ଟରେ ମଧ୍ୟ ହାଜର ହେବାକୁ ପଡ଼ିବ ନାହିଁ ।
2019ରେ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖ ସାମ୍ବାଦିକଙ୍କ ଫୋନ୍ ଛଡ଼ାଇ ନେଇଥିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସାମ୍ବାଦିକ ସଲମାନଙ୍କ ବିରୋଧରେ ଆକ୍ରମଣ ତଥା ଅସଦାଚରଣ ଭଳି ଅଭିଯୋଗ କରିଥିଲେ । ମାମଲା ନେଇ ଅନ୍ଧେରୀର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା । ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି ।
ବରିଷ୍ଠ ସାମ୍ବାଦିକଙ୍କ ଓକିଲ ନୀରଜ ଗୁପ୍ତା କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ସଲମାନ ଖାନ ଆକ୍ରମଣ କରିଥିଲେ ଏବଂ ପରେ ଅଭିନେତା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ଥିବା ମୋର କ୍ଲାଇଣ୍ଟଙ୍କୁ ଏପ୍ରିଲ 24, 2019ରେ ସଲମାନ ଆକ୍ରମଣ କରିଥିଲେ । ଅଭିନେତା ମୋ ମହକିଲଙ୍କୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ସେଥିରେ ଥିବା ତଥ୍ୟକୁ ଉଡ଼ାଇ ଦେଇଥିଲେ । ଯେତେବେଳେ ମୋର କ୍ଲାଇଣ୍ଟ ନିଜକୁ ରକ୍ଷା କରିବାକୁ ଚେଷ୍ଟା କଲେ, ସଲମାନ ତାଙ୍କୁ ଖରାପ ବ୍ୟବହାର କରିବାକୁ ଲାଗିଲେ । ମୋର କ୍ଲାଇଣ୍ଟ ଅଭିଯୋଗ ଦାଖଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ଅଧିକାରୀମାନେ ଏହି ପ୍ରସଙ୍ଗରେ ଧ୍ୟାନ ଦେଇନଥିଲେ ।
ସୂଚନା ଥାଉ କି, ଆଇପିସି ଧାରା 323(ଆଘାତ ଦେଇଥିବା) 392(ଡକାୟତି), 426, 506(ଅପରାଧିକ ଧମକ) ଭାଗ 2 ଅନୁଯାୟୀ ଆଇପିସି ଧାରା 34 ସହ ମହାନଗର ନିଗମ କୋର୍ଟରେ ଅଭିଯୋଗ କରିଥିଲେ ସାମ୍ବାଦିକ । ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଫଳରେ ସଲମାନଙ୍କୁ ଆଶ୍ବସ୍ତି ମିଳିଛି ।
ଚଳିତବର୍ଷ ଇଦରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ 'କିସି କା ଭାଇ କିସି କି ଜାନ' ରିଲିଜ କରିବାକୁ ଯାଉଛି । ଏହାସହ ସଲମାନ ଖାନ ଦିପାବଳୀରେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ସୁପରହିଟ୍ ଯୋଡି ପୁଣି ଥରେ ଟାଇଗର-3ରେ ନଜର ଆସିବେ ।