ମୁମ୍ବାଇ:ନିକଟରେ ମିସ୍ ୟୁନିଭର୍ସ ଏବଂ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ହୃଦଘାତର ଶିକାର ହୋଇଥିଲେ । ସେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ସୁସ୍ଥ ଅଛନ୍ତି । ଏବଂ ସୁସ୍ଥ ହେବାର କିଛି ସପ୍ତାହ ପରେ ପୁଣି ନିଜ କାମକୁ ଫେରିଛନ୍ତି । ଏହାରି ମଧ୍ୟରେ ଅଭିନେତ୍ରୀ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସୁସ୍ମିତା ସେନ୍ ତାଙ୍କ ଆଞ୍ଜିଓପ୍ଲାଷ୍ଟିର ଏକ ମାସ ପୂର୍ତ୍ତି ପାଳନ କରୁଥିବା ଦେଖିବାକୁ ମିଳିଛି ।
ସୁସ୍ମିତା ସେନ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମୋନୋକ୍ରୋମାଟିକ୍ କ୍ଲିପ୍ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ଗୀତରେ ସେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ଏହି କ୍ଲିପ୍ର କ୍ୟାପସନରେ ସେ ଲେଖିଛନ୍ତି, "ମୋର ଆଞ୍ଜିଓପ୍ଲାଷ୍ଟିର ଏକ ମାସର ପୂରଣକୁ ସେଲିବ୍ରେଟ କରୁଛି । ମୁଁ ଯାହା କରିବାକୁ ଭଲପାଏ ଠିକ୍ ତାହା କରୁଛି ।" ଲାଇଟ୍, କ୍ୟାମେରା, ଆକ୍ସନ। ଏହି ସୁନ୍ଦର ଗୀତ ତାଙ୍କ ମନକୁ ଛୁଇଁଥିବା ବେଳେ ବାରମ୍ବାର ଶୁଣିବାକୁ ଭଲ ଲାଗେ ବୋଲି କହିଛନ୍ତି । ଏହି ଭିଡିଓ କ୍ଲିପରେ ସୁସ୍ମିତା ଶଫକତ୍ ଅମାନତ ଅଲିଙ୍କ ଗୀତ 'ଆଙ୍ଖ୍ କେ ସାଗର' ଯୋଡିଛନ୍ତି । ଏହି ଭିଡିଓ ପୋଷ୍ଟ ପରେ ଫ୍ୟାନ୍ସ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି।