ଭୁବନେଶ୍ବର:ଛେନାପୋଡ଼ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ଓଡ଼ିଶାବାସୀଙ୍କ ମିଷ୍ଟାନ୍ନ ତାଲିକା ମଧ୍ୟରେ ଛେନାପୋଡ଼ ବେଶ ଗୁରୁତ୍ବ ବହନ କରେ । କୋଟି ଓଡ଼ିଆଙ୍କ ମଉଡ଼ ମଣି ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ବେଳେ ରଥାରୂଢ ସମୟରେ ଅଧାବାଟରେ ତାଙ୍କୁ ଛେନାପୋଡ଼ ଭୋଗ କରାଯାଏ । ଏହି ଛେନାପୋଡ଼ର ସ୍ବାଦ ଏବେ ରାଜ୍ୟରେ ନୁହେଁ, ବରଂ ବଲିଉଡରେ ପହଞ୍ଚିଛି । ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଛେନାପୋଡ଼ ପ୍ରେମରେ ପଡ଼ିଛନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ଆୟୁଷ୍ମାନ ଛେନାପୋଡ଼ ଖାଇବା ପରେ ଏ ନେଇ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରିଛନ୍ତି ।
ରାଜ୍ୟର ଏହି ଲୋକପ୍ରିୟ ମିଷ୍ଟାନ୍ନକୁ ସେ ଚାଖିବା ସହିତ ଏହାର ସ୍ବାଦକୁ ନେଇ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଅବଗତ କରାଇଛନ୍ତି । ଛେନାପୋଡ଼ରେ ରହିଥିବା ପୋଡ଼ା ଅଂଶ ବିଶେଷ ଭାବେ ତାଙ୍କୁ ପସନ୍ଦ ଆସିଛି ବୋଲି ସେ ନିଜ ଟ୍ବିଟରେ ଲେଖିଛନ୍ତି । ଓଡ଼ିଆ ଖାଦ୍ୟକୁ ନିଜ ଟ୍ବିଟ ମାଧ୍ୟମରେ ଜାତୀୟ ସ୍ତରରେ ପହଞ୍ଚାଇଥିବା ବେଳେ ଅନେକ ଓଡ଼ିଆ ତାଙ୍କ ଟ୍ବିଟରେ କମେଣ୍ଟ କରିଛନ୍ତି । ଓଡ଼ିଶା ଟ୍ୟୁରିଜମ ପକ୍ଷରୁ ମଧ୍ୟ ତାଙ୍କ ଟ୍ବିଟରେ ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସେହିପରି ଅଣଓଡ଼ିଆ ମଧ୍ୟ ଓଡ଼ିଶାର ଏହି ଡେଜର୍ଟକୁ ଟେଷ୍ଟ କରିବା ଲାଗି ବେଶ ଇଚ୍ଛା ପ୍ରକାଶ କରିଥିବା କମେଣ୍ଟରେ କହିଛନ୍ତି ।