ହାଇଦ୍ରାବାଦ: ଆଜି (ଅକ୍ଟୋବର 13) ସାରା ଦେଶରେ କରବା ଚୌଥ ପର୍ବ ପାଳନ କରାଯାଉଛି । ଏହି ଦିନ ସ୍ତ୍ରୀ ସ୍ବାମୀର ଦୀର୍ଘାୟୁ ପାଇଁ ବ୍ରତ ରଖିଥାଏ ଏବଂ ରାତିରେ ଚାନ୍ଦ ଦେଖି ବ୍ରତ ଖୋଲିଥାଏ । ପ୍ରେମ ଭରା ଏହି ପର୍ବକୁ ମହିଳାମାନେ ଅତ୍ୟନ୍ତ ଆନନ୍ଦ ସହକାରେ ପାଳନ କରିଥାନ୍ତି ଏବଂ ନିଜ ସ୍ବାମୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି । ଏହି ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ସ୍ୱାମୀ ହର୍ଷଙ୍କ ନାଁରେ ମେହେନ୍ଦୀ ଲଗାଇଥିବା ଦେଖିବାକୁ ମିଳିଛି।
ଏହି ଭିଡିଓରେ ଆପଣ ଦେଖିପାରିବେ, ଭାରତୀ ପାପାରାଜିଙ୍କୁ କରବା ଚୌଥର ଅଭିନନ୍ଦନ ଜଣାଉଛନ୍ତି । ଭାରତୀଙ୍କ ସୁଟିଂ ସମୟରେ ମଧ୍ୟ କରବା ଚୌଥ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦେଖାଯାଇଥିଲା । ଏହି ସମୟରେ ଭାରତୀ ସେଟରେ ମେହେନ୍ଦୀ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ଭାରତୀ ଏକ ସୁନ୍ଦର ହଳଦିଆ ରଙ୍ଗର ଲେହେଙ୍ଗାରେ ପିନ୍ଧିଛନ୍ତି । ଭାରତୀ ପଞ୍ଜାବୀ ପରିବାରର ଏବଂ ଏଥିପାଇଁ କରବା ଚୌଥ ତାଙ୍କ ପାଇଁ ସବୁଠାରୁ ବିଶେଷ ପର୍ବ । ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ବିବାହ ପରେ ପ୍ରତିବର୍ଷ ଭାରତୀ ଏହି ଉପବାସ ପାଳନ କରନ୍ତି ।