ହାଇଦ୍ରାବାଦ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ ୱାର' ହେଉଛି ଭାରତର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ । ଯାହାକି 2020 ଏବଂ 2021ରେ ପ୍ରଭାବିତ କୋରୋନା ଭାଇରସ୍ ଲଢ଼େଇ ପାଇଁ ପ୍ରସ୍ତୁତ କୋରୋନା ଟିକା ଉପରେ ଆଧାରିତ । ଏହି ଟିକା ତିଆରି କରିବାରେ ଭାରତର ଭୂମିକାକୁ ଫିଲ୍ମରେ ଦର୍ଶାଯାଇଛି । ତେବେ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ନିର୍ମାତା ଏକ ସ୍ପେଶାଲ୍ ସ୍କ୍ରିନିଂର ଆୟୋଜନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଲେଖକ ତଥା ଇନଫୋସିସ୍ ଚେୟାରମ୍ୟାନ୍ ସୁଧା ମୂର୍ତ୍ତୀ । ସେ ଏହି ଫିଲ୍ମ ଦେଖିବା ପରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
ଗତକାଲି(ସେପ୍ଟେମ୍ବର 18)ରେ ଫିଲ୍ମର ନିର୍ମାତାମାନେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିଥିଲେ । ଯେଉଁଥିରେ ଇନଫୋସିସ୍ ଅଧ୍ୟକ୍ଷ ତଥା ଲେଖକ ସୁଧା ମୂର୍ତ୍ତୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ତେବେ ଏହି ସମାରୋହରେ ସେ ଯୋଗ ଦେଇ ଫିଲ୍ମର ପ୍ରଶଂସା କରି କହିଛନ୍ତି, "ସାଧାରଣ ଲୋକମାନେ COVAXIN କ’ଣ ବୁଝିପାରିବେ ନାହିଁ । କିନ୍ତୁ ଏହି ଚଳଚ୍ଚିତ୍ରଟି ତାହାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି । ଏହା କେବଳ କାମ ନୁହେଁ । ଏହା ବୈଜ୍ଞାନିକମାନଙ୍କ ଦ୍ବାରା ହୋଇଥିବା ନିଃସ୍ୱାର୍ଥପର କାର୍ଯ୍ୟ । ସେମାନେ ଏଥିରେ ସର୍ବାଧିକ ସମୟ ଅତିବାହିତ କରିଛନ୍ତି । ତାଙ୍କରି ଅଦମ୍ୟ ସାହାସ ଏବଂ ପ୍ରଚେଷ୍ଟା ବଳରେ ଭାରତ ଏହି ମହାମୀରୀ ଲଢ଼ିବାକୁ ସକ୍ଷମ ହୋଇଥିଲା । ଏଣୁ ଆମେ ଗର୍ବିତ ମନେ କରିବା ଦରକାର ଯେ ଆମେ ହେଉଛୁ ଭାରତୀୟ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଜଣେ ମହିଳାଙ୍କ ପାଇଁ ସବୁକିଛି ପରିଚାଳନା କରିବା ବହୁତ କଷ୍ଟକର ହୋଇଥାଏ । ସେମାନଙ୍କୁ ଘର ସହ ନିଜ କ୍ୟାରିୟରରକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ମୁଁ ସବୁବେଳେ କହୁଛି ଯେ କୌଣସି ସଫଳ ମହିଳାଙ୍କ ପଛରେ ଜଣେ ବୁଝାମଣା ପୁରୁଷ ରହିଥାନ୍ତି । ଜଣେ ମହିଳା ଜୀବନରେ କିଛି ହାସଲ କରିବା ପାଇଁ ପରିବାରର ସମର୍ଥନ ରହିବା ଆବଶ୍ୟକ । ଯେକୌଣସି କ୍ଷେତ୍ରରେ କିଛି କରିବାକୁ ଆମ ପାଇଁ ସମ୍ଭବପର ହୋଇଥାଏ । ଆମକୁ କେବଳ ଏହାକୁ ଚିହ୍ନିବା ଆବଶ୍ୟକ । ଆମର ପ୍ରକୃତ ଧନ ହେଉଛି ଆମର ଆତ୍ମବିଶ୍ୱାସ । ଏଣୁ ନିଷ୍ଠାପର ଭାବେ କାମ କର।"
ଏହା ମଧ୍ୟ ପଢନ୍ତୁ:ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମର ଟ୍ରେଲର ରିଲିଜ, ଏମିତି ପ୍ରସ୍ତୁତ ହୋଇଥିଲା କୋରୋନା ଟିକା
ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ତାଙ୍କ ସହ ଆଲୋଚନାରେ ଜଡିତ ଥିବା ଏକ ଫଟୋ ସେୟାର କରି ସ୍କ୍ରିନିଂରେ ଉପସ୍ଥିତି ପାଇଁ ସୁଧା ମୂର୍ତ୍ତୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏବଂ କ୍ୟାପସନରେ୍ ଲେଖିଛନ୍ତି, "ସୁଧା ମୂର୍ତ୍ତି ଜି ଦ ଭ୍ୟାକ୍ସିନ ୱାରର ସ୍କ୍ରିନିଂରେ ଆପଣଙ୍କ ପ୍ରେରଣାଦାୟକ ଶବ୍ଦ ପାଇଁ ଧନ୍ୟବାଦ ।" ସୂଚନା ଥାଉ କି, ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ପଲ୍ଲବୀ ଯୋଶୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଦ ଭ୍ୟାକ୍ସିନ୍ ୱାରର ଟ୍ରେଲର 12 ସେପ୍ଟେମ୍ବରରେ ରିଲିଜ ହୋଇଥିବା ବେଳେ ଫିଲ୍ମ 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ, ନାନା ପାଟେକର, ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।