ହାଇଦ୍ରାବାଦ: ଗତ ଡିସେମ୍ବର ୧୬ ତାରିଖରେ ରିଲିଜ ହୋଇଥିବା ହଲିଉଡ଼ ଫିଲ୍ମ ଅବତାର-୨ ଗୋଟିଏ ପରେ ଗୋଟିଏ ରେକର୍ଡ ହାତେଇବାରେ ଲାଗିଛି । ଏହି ଫିଲ୍ମଟି ଭାରତରେ ୩୮୦ କୋଟି ଟଙ୍କା ରୋଜଗାର କରିଛି । ଓପନିଂ ବେଳେ ଫିଲ୍ମଟି ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମର ଦ୍ବିତୀୟ ସ୍ଥାନରେ ରହିଛି । ଅବତାର-୨ ରିଲିଜର ପ୍ରଥମ ଦିନରେ ଭାରତରେ ୪୦.୫୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ନିର୍ଦ୍ଦେଶକ ଜେମ୍ସ କେମରୁନଙ୍କ ନିର୍ଦ୍ଦେଶିତ ଅବତାର-୨ Avenger Endgameକୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ।
ଆଭେଞ୍ଜର ଏଣ୍ଡଗେମ ରିଲିଜ ହେବା ପରେ ୫୩.୧୦ କୋଟି ଟଙ୍କା ରୋଜଗାର କରିଥିଲା । ମାତ୍ର ଅବତାର-୨ର ୨୯ ଦିନରେ ୩୮୦ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାସହିତ ଭାରତରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ହଲିଉଡ଼ ଫିଲ୍ମ ହୋଇପାରିଛି । ଆଭେଞ୍ଜର ଏଣ୍ଡଗେମ ଭାରତରେ ମୋଟ ୩୫୬ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଭାରତରେ ଏହି ଫିଲ୍ମଟି ସବୁ ଭାଷାରେ ରିଲିଜ ହୋଇଛି । କେବଳ ତେଲୁଗୁ ଭାଷାରେ ରିଲିଜ ହୋଇଥିବା ଫିଲ୍ମଟି ୮୦ କୋଟି ଟଙ୍କା ବ୍ୟବସାୟ କରିଛି । ବିଶ୍ବରେ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମରେ ଅବତାର-୨ ସାମିଲ ହୋଇଛି । ଏହି ଫିଲ୍ମକୁ ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ ଜମୁଥିବା ବେଳେ ଆଗକୁ ଏହା ଆଉ କେତେକ ରେକର୍ଡ ଭାଙ୍ଗିପାରେ ବୋଲି ଫିଲ୍ମ ବିଶେଷଜ୍ଞ ଆଶା କରିଛନ୍ତି ।