ହାଇଦ୍ରାବାଦ: ବଲିଉଡରେ ନିଜର ଛାପ ଛାଡିଥିବା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ବହୁତ କମ୍ ଫିଲ୍ମରେ ଅଭିନୟ କରିଛନ୍ତି, ତଥାପି ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଅଭିନେତ୍ରୀ ଚର୍ଚ୍ଚାରେ ରହିବାର କାରଣ ବୃତ୍ତିଗତ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନ । ଆଥିଆ ଏବଂ ଭାରତୀୟ କ୍ରିକେଟ୍ ଦଳର ଖେଳାଳି କେ.ଏଲ୍ ରାହୁଲଙ୍କ ସମ୍ପର୍କ ସମସ୍ତଙ୍କୁ ଜଣା । ଉଭୟଙ୍କ ବିବାହ ଖବର ବର୍ତ୍ତମାନ ଲାଇମଲାଇଟରେ ରହିଛି । ବିଗତ ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବା କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି । ଆଜି ଦମ୍ପତିଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି ।
ବର୍ଷ ବର୍ଷ ଧରି ପରସ୍ପର ସହ ସମ୍ପର୍କରେ ଥିବା ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପ୍ରେମ କାହାକୁ ଅଛପା ନାହିଁ । ଉଭୟ ପ୍ରାୟତଃ ପରସ୍ପର ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଏ । ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ସୁନୀଲ ଶେଟ୍ଟୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅ ଏବଂ ରାହୁଲ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଉଭୟ ନୂଆ ବର୍ଷ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ଉଭୟ ବିବାହ କରିବେ । ଏହି ଖବର ଶୁଣି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ । କିନ୍ତୁ ବର୍ତ୍ତମାନ ପ୍ରକାଶ ପାଇଥିବା ରିପୋର୍ଟରେ ଉଭୟଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି।