ହାଇଦ୍ରାବାଦ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସଜବାଜ ହୋଇଛି ଅଯୋଧ୍ୟା । ଏହି ଐତିହାସିକ ମୂହୁର୍ତ୍ତକୁ ସାରା ଦେଶ ଉତ୍ସାହର ସହ ଅପେକ୍ଷା କରି ରହିଛି ଏବଂ ଏଥିରେ ସାମିଲ ହେବା ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସମେତ ବହୁ ମାନଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୨୨ରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ତେବେ ଏଥିରେ ସାମିଲ ହେବାକୁ ରାମାୟଣ ଫେମ ତାରକା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ସମୟରେ ତାରକାମାନେ ଏହି ସମାରୋହରେ ସାମିଲ ହେବା ନେଇ ଖୁସିବ୍ୟକ୍ତ କରିଛନ୍ତି ।
ବାସ୍ତବରେ, ରାମାୟଣରେ ରାମ, ଲକ୍ଷ୍ମଣ ଏବଂ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ, ସୁନୀଲ ଲହରୀ ଏବଂ ଦୀପିକା ଚିଖଲିଆ 'ହମାରେ ରାମ ଆଏଙ୍ଗେ' ଏକ ଆଲବମ ଗୀତ ସୁଟିଂ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଥିସହ ଏହି ତାରକାମାନେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମଧ୍ୟ ସାମିଲ ହେବେ । ଏହି ସମୟରେ ତାରକାମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
ଅରୁଣ ଗୋଭିଲ କହିଛନ୍ତି ଯେ, ଅଯୋଧ୍ୟାର ରାମ ମନ୍ଦିର ଆମର ରାଷ୍ଟ୍ର ମନ୍ଦିର ରୂପେ ବିବେଚିତ ହେବ । ଗତ କିଛି ବର୍ଷରେ ସାରା ଦୁନିଆରେ ସଂସ୍କୃତି ଦୁର୍ବଳ ହୋଇଯାଇଥିଲା । ତେବେ ଏହି ମନ୍ଦିର ପୁଣି ଏକ ବାର୍ତ୍ତା ଦେବ, ଯାହା ଆମର ସଂସ୍କୃତିକୁ ମଜବୁତ କରିବ । ଏହି ମନ୍ଦିର ଆସ୍ଥାର କେନ୍ଦ୍ର ଅଟେ । ଏହା ଆମର ଗୌରବ ହେବ ଏବଂ ଆମର ପରିଚୟ ହେବ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମଧ୍ୟ ଏପରି ହେବ ଅନ୍ଦାଜ ନଥିଲା । ସାରା ଦେଶବାସୀ ପ୍ରଭୁ ଶ୍ରୀ-ରାମଙ୍କ ଜପୁଛନ୍ତି । ମୁଁ ଏହି ମୁହୂର୍ତ୍ତକୁ ଲାଇଭ ଦେଖିବାକୁ ସୁଯୋଗ ପାଇଥିବା ନେଇ ବହୁତ ଖୁସି ।