ହାଇଦ୍ରାବାଦ:କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା । ଏହି ଘଟଣାର ଅନୁସନ୍ଧାନ କରୁଥିବା ଖାଲାପୁର ପୋଲିସ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ନିତିନ ଦେଶାଇଙ୍କ ପତ୍ନୀ ନେହା ଦେଶାଇଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।
ନେହା ପୋଲିସକୁ କହିଛନ୍ତି ଯେ ECL ଫାଇନାନ୍ସ କମ୍ପାନୀ ଏବଂ ଏଡଲୱାଇସ୍ ଗ୍ରୁପର ଅଧିକାରୀମାନେ ଋଣକୁ ନେଇ ତାଙ୍କ ଉପରେ ମାନସିକ ଚାପ ପକାଉଥିଲେ । ଯାହାକୁ ନେଇ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ନେହାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା 306 ଏବଂ 34 ଅନୁଯାୟୀ ECL ଫାଇନାନ୍ସ କମ୍ପାନୀର ଅଧିକାରୀ ଏବଂ ଏଡଲୱାଇସ୍ ଗ୍ରୁପଙ୍କ ସମେତ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖାଲାପୁର ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ଅଗଷ୍ଟ 2 ରେ ସକାଳ 4:30 ସମୟରେ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନିତିନ ଦେଶାଇ ନିଜ ଷ୍ଟୁଡିଓ, ଏନଡି ଫିଲ୍ମ ଷ୍ଟୁଡିଓରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡି଼ିଥିଲା। ନିତିନଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସମଗ୍ର ଇଣ୍ଡଷ୍ଟ୍ରିକୁ ଚକିତ କରିଛି । କୁହାଯାଉଛି ଯେ, ନିତିନ ଆର୍ଥିକ ସମସ୍ୟାରେ ପଡିଥିଲେ ଯେଉଁଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ।